ହନୁମାନ ଲଙ୍କାପୋଡି ଉପଖ୍ୟାନକୁ ନେଇ ଜୋର ଧରିଲା ରାଜ୍ୟ ରାଜନୀତି ବିଜେପି,ବିଜେଡି ଓ କଂଗ୍ରେସର ଆରୋପ ପ୍ରତ୍ୟାରୋପ

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହନୁମାନ ଉପାଖ୍ୟାନକୁ ନେଇ ଜୋର ଧରିଛି ରାଜ୍ୟ ରାଜନୀତି ।  ବାଲେଶ୍ବରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ମୁଁ ମୋଦିଙ୍କ ହନୁମାନ, ମୋ ଲାଙ୍ଗୁଡରେ ନିଆଁ ଲଗାଅନି,  ନହେଲେ ଫଳ ଭୋଗିବ । ଏହାକୁ ନେଇ ରାଜନୈତିକ ବୟାନ ବାଜି ଚାଲିଛି । କିଏ ରାମ ଆଉ କିଏ ହନୁମାନ ଆଉ ଲଙ୍କା ବୋଲି କାହାକୁ କହିଥିଲେ ଧର୍ମେନ୍ଦ୍ର ତାକୁ ନେଇ ଚାଲିଛି ଆରୋପ ପ୍ରତ୍ୟାରୋପ । ଆଉ ପାଦେ ଆଗକୁ ଯାଇ ବିଜେଡି କହିଛି  ଧର୍ମେନ୍ଦ୍ର ହନୁମାନ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ପ୍ରଭୂ ଶ୍ରୀରାମ । କଂଗ୍ରେସ ଲଙ୍କାର ବାଖ୍ୟା କରିଥିବା ବେଳେ ଜବାବରେ ପୁଣି ବିଜେପି କହିଛି କିଏ କେମିତି ବାଖ୍ୟା କଲେବି ମୋଦି ହିଁ ଶ୍ରୀରାମ।

ରାଜ୍ୟ ରାଜନୀତିରେ ରାମାୟଣ ଉପାଖ୍ୟାନ । ରାଜନୀତିରେ କିଏ ହନୁମାନ ଆଉ କିଏ ଶ୍ରୀରାମ  ତାକୁ ନେଇ ଚାଲିଛି ବୟାନବାଜି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହୁନୁମାନ ଆଉ ଲଙ୍କାପୋଡି ଉପାଖ୍ୟାନ ପରେ ଏହାକୁ ନେଇ ରାଜନୈତିକ ବୟାନ ବାଜି  ଆରମ୍ଭ ହୋଇଛି । ହେଲେ ଧର୍ମେନ୍ଦ୍ରଙ୍କ ଏହି ବୟାନରୁ ଭିନ୍ନ ଅର୍ଥ କାଢିଛି ବିଜେଡି । ସଭାରେ ଉପସ୍ଥିତ ଥିବା ସାଂସଦ ରବୀନ୍ଦ୍ର ଜେନା କେନ୍ଦ୍ରମନ୍ତ୍ରୀ ଏପରି ବୟାନ ରଖିବାକୁ ନାପସନ୍ଦ କରିଛନ୍ତି ।  ସେପଟେ ଆଉ ପାଦେ ଆଗକୁ ଯାଇ ଧର୍ମେନ୍ଦ୍ର ହନୁମାନ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଭୁ ଶ୍ରୀରାମ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା । ଆଉ କଂଗ୍ରେସ ରାମ ହନୁମାନ କିଏ ସେଥିରୁ ବାହାରକୁ ଯାଇ ଲଙ୍କାର ବଖ୍ୟା କରିଛି ।

ତେବେ ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟରୁ ରାଜନୈତିକ ଆରୋପ ଆସିବା ପରେ ଜବାବ ରଖିଛି ବିଜେପି । କହିଛି କିଏ କେମିତି ବାଖ୍ୟା କରିବ ତାହା ଭିନ୍ନ କଥା ।   ମୋଦି ହେଉଛନ୍ତି ରାମ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନନ୍ଦ୍ର ହନୁମାନ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।

ରାଜନୀତିରେ ନେତାଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଚାଲିଥିବାବେଲେ ଏବେ ଏହା ଭିତରକୁ ବାରମ୍ବାର ପଶିବାରେ ଲାଗିଛନ୍ତି ପୈରାଣିକ ଚରିତ୍ରମାନେ । ଯାହାକୁ ନେଇ ଜୋର ଧରିଛି ରାଜନୀତି ।