ହବିଷ୍ୟାଳୀ କାର୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଭିଡିଓ କନଫରେନସିଂ ଜରିଆରେ ପୁରୀରେ ଚଳିତ ବର୍ଷ ପାଇଁ ହବିଷ୍ୟାଳୀ କାର୍ତିକ ବ୍ରତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ଅବସରରେ ହବିଷ୍ୟାଳୀମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛେ ଜଣାଇ ଆନନ୍ଦରେ କାର୍ତିକ ବ୍ରତ କରିବାକୁ କହିଥିଲେ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ପୁରୀରେ ୩ଟି ସ୍ଥାନରେ ତିନି ହଜାର ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ରେଲୱେ ଟୁରିଷ୍ଟ କମ୍ପେ୍ଲକ୍ସ ଠାରେ ୯୦୦ ଏବଂ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପରେ ୬୦୦ ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ନୂତନ ଭାବେ ନିର୍ମିତ ନରେନ୍ଦ୍ର କୋଣ ହବିଷ୍ୟାଳୀ କେନ୍ଦ୍ରରେ ୧୫୦୦ ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି କେନ୍ଦ୍ରଟି ବିଦ୍ଧିବଧ ଭାବେ ଉଦଘାଟିତ ନ ହୋଇଥିଲେ ମଧ୍ୟ ଏଠାରେ ହବିଷ୍ୟାଳୀ ମାନଙ୍କ ପାଇଁ ସୁବନ୍ଦୋବସ୍ତ କରାଯାଇଛି । ରେଲୱେ ଟୁରିଷ୍ଟ କମ୍ପେ୍ଲକ୍ସରୁ ହବିଷ୍ୟାଳୀମାନଙ୍କୁ ମନ୍ଦିରକୁ ନେବା ଆଣିବା କରିବାପାଇଁ ୩ଟି ବସର ମଧ୍ୟ ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ ଯେ ଆଜି ସୁଦ୍ଧା ୨୫୭୭ଜଣ ହବିଷ୍ୟାଳୀ ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜିକୃତ ହୋଇସାରିଛି ଏବଂ ତନ୍ମଧ୍ୟରୁ ୨୧୮୩ଜଣ ବିଭିନ୍ନ କେନ୍ଦ୍ରରେ ରହି ବ୍ରତ ଆରମ୍ଭ କରିଛନ୍ତି ।

ହବିଷ୍ୟାଳୀ ମାନଙ୍କ ସୁରକ୍ଷା ,ଏବଂ ସୁବିଧା ପାଇଁ ଜିଲ୍ଲାର ୫୦୦ ସରକାରୀ ଅଧିକାରୀ ଏବଂ ଷ୍ଟାଫ୍ ୟୁଥ୍ ଫର୍ ବେଟର ପୁରୀ ସଂସ୍ଥାର ୧୨୦ ସ୍ୱେଚ୍ଛାସେବୀ ଏବଂ ରେଡକ୍ରସର ୬୦ଜଣ ସଦସ୍ୟ ନିୟୋଜିତ ହୋଇଛନ୍ତି । ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ହବିଷ୍ୟାଳୀମାନଙ୍କ ବ୍ରତ ପାଇଁ ସମସ୍ତ ପ୍ରକାର କରାଯାଇଛି । ସେମାନଙ୍କ ରହିବା ବ୍ୟବସ୍ଥା ସହିତ ମହାପ୍ରସାଦ ସେବନ, ଏକାଦଶୀ ଦିନ ଫଳ ସେବନ ବ୍ୟବସ୍ଥା ଓ ସଂନ୍ଧ୍ୟାରେ ପାଲା, ପାଶକାଠିଆ ଓ ପ୍ରବଚନ ଆଦିର ବ୍ୟବସ୍ଥା ମଧ୍ୟ କରାଯାଉଛି ।

ରାଜ୍ୟ ଲୋକସେବା ଭବନରେ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ମୁଖ୍ୟଶାସନ ସଚିବ, ସଂସ୍କୃତିସଚିବ ଏବଂ ପୁରୀର ବିଧାୟକ, ଜିଲ୍ଲାପାଳ, ଏସପି ପ୍ରମୁଖ ଉପସ୍ଥିତ ଥିଲେ ।