୫ ଜଣଙ୍କୁ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ

ଭୁବନେଶ୍ୱର : ଓଡ଼ିଶୀ ନୃତ୍ୟ ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ଦିଆଯାଉଥିବା ‘ନାଲ୍‌କୋ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ’ ଘୋଷଣା ହୋଇଛି। ଓଡ଼ିଶୀ ନୃତ୍ୟର ଆଦ୍ୟଗୁରୁ ଗୁରୁ କେଳୁଚରଣ ମହାପାତ୍ରଙ୍କ ନାମରେ ପ୍ରଦାନ କରାଯାଉଥିବା ଏହି ସମ୍ମାନ ଏଥର ୫ଜଣ ଲାଭ କରିବେ। ବିଶିଷ୍ଟ ତବଲା ବାଦକ ହରମୋହନ ଖୁଣ୍ଟିଆ, ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର, ନୃତ୍ୟ ସମୀକ୍ଷକ ଡ. ସୁନୀଲ କୋଠାରି ଓ ଲୀଲା ଭେଙ୍କଟରମଣ ଏବଂ ନୃତ୍ୟ ଓ କଳାକୁ ଲେନ୍‌ସରେ କଏଦ୍‌ କରୁଥିବା ଜଣାଶୁଣା ଫଟୋଗ୍ରାଫର୍‌ ଅବିନାଶ ପସ୍ରିଚାଙ୍କୁ ଏହି ସମ୍ମାନ ଦିଆଯିବ।

ଆଜି ହୋଟେଲ୍‌ ଦି ରୟାଲ୍‌ ମିଡ୍‌ ଟାଉନ୍‌ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରତିକାନ୍ତ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଲେ, ପ୍ରତ୍ୟେକଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ସହ ସମ୍ବର୍ଧିତ କରାଯିବ। ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ସେପ୍ଟେମ୍ବର ୫ରୁ ୧୧ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ପୁରସ୍କାର ଉତ୍ସବର ରୌପ୍ୟ ଜୟନ୍ତୀରେ ଏହି ସମ୍ମାନ ପ୍ରଦାନ କରାଯିବ।