ଅହମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି । ତେବେ ଏହା ନେଇ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏବେ ଖବର ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଟ୍ରମ୍ପ ଗୁଜୁରାଟର ଅହମଦାବାଦରେ ୨୨ କିଲୋମିଟରର ରୋଡ ଶୋ’ କରିବେ । ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅହମଦାବାଦ ସିଟି ମେୟର ବିଜଲ ପଟେଲ । ୨୪ ତାରିଖରେ ହେବାକୁ ଥିବା ଏହି ରୋଡ ଶୋ’ରେ ପ୍ରାୟ ୫୦ ହଜାର ଲୋକ ସାମିଲ ହେବା ନେଇ ଆଶା କରାଯାଉଛି ।
ମେୟର ଆହୁରି କହିଛନ୍ତି ଯେ, ସହରକୁ ଆସିଥିବା କୌଣସି ଉଚ୍ଚ ପଦାଧିକାରୀଙ୍କ ପାଇଁ ବୋଧେ ଏହା ହେବ ସବୁଠାରୁ ଲମ୍ବ ରୋଡ ଶୋ’ । ଅଧିକାରୀଙ୍କ ଦ୍ୱାରା ଅହମଦାବାଦ ନଗର ନିଗମ (ଏଏମସି)କୁ ରୁଟ ପ୍ଲାନ ଅନୁସାରେ ଟ୍ରମ୍ପ ଓ ମୋଦି ଇଂଟରନ୍ୟାସନାଲ ଏୟାରପୋର୍ଟରୁ ସର୍ବ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ସହିତ ଜଡ଼ିତ ସାବରମତୀ ଆଶ୍ରମ ଯିବେ । ଆଶ୍ରମରୁ ଦୁଇ ନେତା ବିମାନବନ୍ଦର ନିକଟରେ ଥିବା ଇନ୍ଦିରା ବ୍ରିଜ, ଏସପି ରିଙ୍ଗରୋଡ ଦେଇ ମୋତେରାରେ ନବନିର୍ମିତ କ୍ରିକେଟ ଷ୍ଟାଡିୟମ ପହଂଚିବେ । ଏଠାରେ କ୍ରିକେଟ ଷ୍ଟାଡିୟମକୁ ଉଦଘାଟନ କରିବେ । ଏହି କ୍ରିକେଟ ଷ୍ଟାଡିୟମରେ ୧ ଲକ୍ଷ ୧୦ ହଜାର ଲୋକ ବସିବା ପାଇଁ ସିଟ ଅଛି ।
ପଟେଲ କହିଛନ୍ତି, ଏହି ୨୨ କିଲୋମିଟର ଲମ୍ବ ରୋଡ ଶୋ’ରେ ପ୍ରାୟ ୫୦ ହଜାର ଲୋକ ଉପସ୍ଥିତ ରହିବାର ଆଶା ଦେଖାଯାଉଛି । କାରଣ ଅହମଦାବାଦ ପାଇଁ ବୋଧେ ଏହା ହେଉଛି ସବୁଠାରୁ ଦୀର୍ଘତମ ରୋଡ ଶୋ’ । ରୋଡ ଶୋ’ରେ ୩୦୦ ସଂଗଠନ ଏବଂ ଏନଜିଓର ସ୍ୱେଚ୍ଛାସେବୀ ଯୋଗ ଦେବେ । ପଟେଲ ଏଏମସି ଅଧିକାରୀଙ୍କ ସହ ଶୁକ୍ରବାର ସାମାଜିକ, ସାଂସ୍କୃତିକ ଏବଂ ଧାର୍ମିକ ସଂଗଠନର ପ୍ରତିନିଧିଙ୍କ ସହିତ ବୈଠକରେ ଆଲୋଚନା କରିଛନ୍ତି ।
ବିଜେପି ନେତା କହିଛନ୍ତି, ରୋଡ ଶୋ’ ସମୟରେ ବିଭିନ୍ନ ରାଜ୍ୟର ଲୋକେ ପାରଂପରିକ ବେଶରେ ଦେଖାଯିବେ । ସୂଚନାଯୋଗ୍ୟ, ଚଳିତ ସପ୍ତାହର ଆରମ୍ଭରେ ଘୋଷଣା ହୋଇଥିବା ଟ୍ରମ୍ପଙ୍କ ଦୁଇ ଦିନିଆ ଗସ୍ତରେ ଅହମଦାବାଦରେ ଫେବୃଆରୀ ୨୪ରେ ରୋଡ ଶୋ’ ହେବ ବୋଲି କୁହାଯାଇଥିଲା । ଏହି ରୋଡ ଶୋ’ରେ ଟ୍ରମ୍ପ ଓ ମୋଦି ମୁଖ୍ୟ ଆକର୍ଷଣ ରହିବେ ବୋଲି କୁହାଯାଇଥିଲା ।