ଓଡ଼ିଶା ସରକାର ଜାରି କଲେ ଲକଡାଉନ ୪.୦ ଗାଇଡଲାଇନ

ଭୁବନେଶ୍ୱର:  କେନ୍ଦ୍ର ସରକାର ଲକଡାଉନ ୪.୦ ଘୋଷଣା କରିବାର ଦିନକ ପରେ ଓଡ଼ିଶା ସରକାର ରାଜ୍ୟ ପାଇଁ ଲକଡାଉନ ଗାଇଡଲାଇନ ଜାରି କରିଛନ୍ତି । କେନ୍ଦ୍ର ଗାଇଡଲାଇନ ଅନୁସାରେ ଏହି ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ରାଜ୍ୟ ସ୍ୱତନ୍ତ୍ରନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ସୋମବାର  ଜାରି ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ଲକଡାଉନ ଅବଧିକୁ ମେ ୩୧ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ପୂର୍ବଥର ଭଳି ଏଥର ମଧ୍ୟ ଅଧିକାଂଶ କଟକଣା ଜାରି ରହିଥିବାବେଳେ ଏଥର ପ୍ରଥମ ଥର ପାଇଁ କ୍ରୀଡ଼ା ପରିସର ଓ ଷ୍ଟାଡିୟମଗୁଡ଼ିକୁ ଖୋଲିବାକୁ ଅନୁମତି ରହିଛି । ତେବେ ବିନା ଦର୍ଶକରେ ଖେଳ ହୋଇପାରିବ । ସେହିପରି ବସ ଚଳାଚଳ ସଂପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ , କିନ୍ତୁ ଟାକ୍ସି ଚଳାଚଳ ହୋଇପାରିବ ।

ଜାଣନ୍ତୁ କ’ଣ ରହିଛି କଟକଣା …

-ଘରୋଇ ଡାକ୍ତରୀ ସେବା, ଘରୋଇ ଏୟାର୍ ଆମ୍ବୁଲାନ୍‌ସ୍ ଏବଂ ସୁରକ୍ଷା ଉଦ୍ଦେଶ୍ୟରେ କିମ୍ବା ଗୃହ ମନ୍ତ୍ରାଳୟ ଦ୍ୱାରା ଅନୁମତିପ୍ରାପ୍ତ ‌ଉଦ୍ଦେଶ୍ୟ ବ୍ୟତିରେକେ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ବନ୍ଦ ରହିବ।

-ସ୍କୁଲ୍, କଲେଜ, ଶିକ୍ଷା/ତାଲିମ/କୋଚିଙ୍ଗ୍ ପ୍ରତିଷ୍ଠାନ ପ୍ରଭୃତି ବନ୍ଦ ରହିବ। କିନ୍ତୁ, ଅନ୍‌ଲାଇନ୍/ପତ୍ର ମଧ୍ୟମ ଶିକ୍ଷା ଚାଲି ଅନୁମତି ରହିଛି ଏବଂ ସେସବୁକୁ ଉତ୍ସାହିତ କରାଯିବ।

– ସ୍ୱାସ୍ଥ୍ୟ/ପୁଲିସ/ସରକାରୀ କର୍ମଚାରୀ/ ସ୍ୱାସ୍ଥ୍ୟସେବା କର୍ମୀ/ପର୍ଯ୍ୟଟକଙ୍କ ସମେତ ଅଟକି ଯାଇଥିବା ବ୍ୟକ୍ତି ଏବଂ କ୍ୱାରେଣ୍ଟିନ୍ ପାଇଁ ଥିବା ପ୍ରତିଷ୍ଠାନ, ବସ୍ ଷ୍ଟାଣ୍ଡ୍‌, ରେଳଷ୍ଟେସନ୍ ଏବଂ ବିମାନ ବନ୍ଦରରେ ଚାଲୁଥିବା କ୍ୟାଣ୍ଟିନ୍‌ଗୁଡ଼ିକ ବ୍ୟତୀତ ବାକି ସମସ୍ତ ହୋଟେଲ୍, ରେସ୍ତୋଁରା ଏବଂ ଅନ୍ୟାନ୍ୟ ଆତିଥେୟ ସେବା ପ୍ରଦାନକାରୀ ପ୍ରତିଷ୍ଠାନ ବନ୍ଦ ରହିବ। କିନ୍ତୁ, ଘରେ ଖାଦ୍ୟ ଡେଲିଭରି ଦେବା ନିମନ୍ତେ ରେସ୍ତୋଁରାମାନଙ୍କୁ ରୋଷେଇ ଘର ଖୋଲି ରୋଷେଇ କରିବାକୁ ଅନୁମତି ମିଳିବ।

-ସମସ୍ତ ସିନେମା ହଲ୍, ସପିଙ୍ଗ୍ ମଲ୍, ଜିମ୍‌ନାସିୟମ୍, ସୁଇମିଙ୍ଗ୍ ପୁଲ୍, ପ୍ରମୋଦ ଉଦ୍ୟାନ, ଥିଏଟର୍, ବାର୍ ଏବଂ ଅଡିଟରିୟମ୍, ସମ୍ମେଳନ ଗୃହ ଏବଂ ସେ ପ୍ରକାର ସ୍ଥାନଗୁଡ଼ିକ ବନ୍ଦ ରହିବ। କ୍ରୀଡ଼ା ପରିସର ଏବଂ ଷ୍ଟାଡିୟମ୍‌ ଖୋଲିବାକୁ ଅନୁମତି ମିଳିବ। କିନ୍ତୁ, ଦର୍ଶକମାନଙ୍କୁ ଛଡ଼ାଯିବ ନାହିଁ।

-ସମସ୍ତ ସାମାଜିକ/ରାଜନୈତିକ/କ୍ରୀଡ଼ା/ମନୋରଞ୍ଜନ/ଶିକ୍ଷା ସମ୍ବନ୍ଧୀୟ/ସାଂସ୍କୃତିକ/ଧାର୍ମିକ ଉତ୍ସବ/ ଅନ୍ୟାନ୍ୟ ଜନସମାବେଶ ଏବଂ ବଡ଼ ଜନଗହଳି ପାଇଁ ଅନୁମତି ମିଳିବ ନାହିଁ।

-ସମସ୍ତ ଧାର୍ମିକ ପୀଠ/ଉପାସନା ସ୍ଥଳୀ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ। ଧାର୍ମିକ ସମାବେଶ କଡ଼ାକଡ଼ି ବାରଣ କରାଯାଇଛି ।

କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ଅଞ୍ଚଳରେ କଟକଣା ସହ କେତେକ କାର୍ଯ୍ୟକଳାପ ପାଇଁ ଅନୁମତି ମିଳିବ :

-ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ସହମତିରେ ଅନ୍ତଃ-ରାଜ୍ୟ ଯାତ୍ରୀବାହୀ ଯାନ ଏବଂ ବସ୍ ଆଦି ଚଳାଚଳ କରାଯାଇ ପାରିବ।

-ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ନି‌ଷ୍ପତ୍ତି ଅନୁସାରେ, ରାଜ୍ୟ ମଧ୍ୟରେ ଯାତ୍ରୀବାହୀ ଯାନ ଏବଂ ବସ୍ ଚଳାଚଳ କରିପାରିବ।

-ବ୍ୟକ୍ତିବିଶେଷଙ୍କ ଚଳାଚଳ ନିମନ୍ତେ କ୍ରୋଡ଼ପତ୍ର-୧ରେ ଉଲ୍ଲେଖ କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍ ପ୍ରୋସିଜ୍ୟୋର୍ (ଏସ୍‌ଓପି) ପୂର୍ବବତ୍ କାଏମ ରହିବ।