ପୂଜା ପାଇଁ ଆସିଲା ନିର୍ଦ୍ଦେଶାବଳୀ; ଏସଆରସିଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ପାର୍ବଣ ଋତୁ ଆରମ୍ଭରେ ହିଁ ସବୁଠି ଆରମ୍ଭ ହୋଇଯାଇଛି ପୂଜା ପ୍ରସ୍ତୁତି । ସେପଟେ ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଦୁର୍ଗା ପୂଜା, କାଳୀ ପୂଜା ଏବଂ ଲକ୍ଷ୍ମୀ ପୂଜା ପାଇଁ ଓଡ଼ିଶା ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ପୂଜା ପେଣ୍ଡାଲରେ କିଭଳି ହେବ ପୂଜା, ସେ ନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ଜାଣନ୍ତୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ:-

  • ପୂଜା ପେଣ୍ଡାଲ ଏବଂ ମଣ୍ଡପରେ ପୂଜା ଆୟୋଜନ ପୂର୍ବରୁ ଜିଲ୍ଲା କଲେକ୍ଟର ତଥା ମ୍ୟୁନିସିପାଲଟି କମିଶନରଙ୍କ ଠାରୁ ଅନୁମତି ନେବା ବାଧ୍ୟତାମୂଳକ । ଏପରିକି ସ୍ଥାନୀୟ ପୋଲିସ ପ୍ରଶାସନ ଠାରୁ ନେବାକୁ ହେବ ଅନୁମତି ।
  • ମଣ୍ଡପ କିମ୍ବା ପେଣ୍ଡାଲରେ ପୂଜା ଚାଲିବା ସମୟରେ ରୀତିନୀତିରେ ସାଧାରଣ ଲୋକେ ସାମିଲ ହୋଇପାରିବେ ନାହିଁ । ଏପରିକି ଧୂମଧାମ ଏବଂ ମହାଆଡମ୍ବର ସହ ପାଳନ ହେବନି ପୂଜା ।
  • ମଣ୍ଡପ ତଥା ପେଣ୍ଡାଲର ୪  ଦ୍ୱାର ମଧ୍ୟରୁ ୩  ଦ୍ୱାର ବନ୍ଦ ରହିବ । ଚତୁର୍ଥ ଦ୍ୱାର ଦେଇ କେବଳ କର୍ମକର୍ତ୍ତା ଯାତାୟତ କରିବେ । ଦେବୀଙ୍କ ଦର୍ଶନ ନିମନ୍ତେ ସାଧାରଣ ଲୋକ କିମ୍ବା ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ ନାହିଁ ।
  • ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିବ ।
  • ସର୍ବସାଧାରଣ ଠିକଣା ବ୍ୟବସ୍ଥାର କୌଣସି ବ୍ୟବହାର ହେବ ନାହିଁ | କେବଳ କର୍ତ୍ତା, ଯାଜକ ଏବଂ ଅନ୍ୟ ସହଯୋଗୀ କର୍ମକର୍ତ୍ତା ଉପସ୍ଥିତ ରହିବେ ।
  • ମଣ୍ଡପ ତଥା ପେଣ୍ଡାଲରେ ଉପସ୍ଥିତ ବ୍ୟକ୍ତି କୋଭିଡ ନିୟମ ଯଥା ମାସ୍କ ପରିଧାନ, ସାମାଜିକ ଦୂରତା, ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ପରିମଳ ବଜାୟ ରଖିବେ ।
  • ସେହିପରି ଦେବୀଙ୍କ ମୂର୍ତ୍ତି ବିସର୍ଜନ ସମୟରେ କୌଣସି ଶୋଭାଯାତ୍ରା ହେବନାହିଁ । ସ୍ଥାନୀୟ ପ୍ରଶାସନ ଦ୍ୱାରା ନିର୍ମିତ କୃତ୍ରିମ ପୋଖରୀ ଦେବୀଙ୍କ ପ୍ରତିମୂର୍ତ୍ତି ବିସର୍ଜନ ହେବ ।
  • ପୂଜା ସମୟରେ କୌଣସି ସାଂସ୍କୃତିକ କିମ୍ବା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ ।
  • ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, କମିଶନର ପୋଲିସ, ଟ୍ୱିନସିଟି ଉପରୋକ୍ତ ସମୟ ନିର୍ଦ୍ଦେଶାବଳୀ ମାନିବାକୁ ବାଧ୍ୟ ।
  • ଯଦି କେହି ଏ ନିୟମ ସବୁକୁ ଉଲ୍ଲଘଂନ କରନ୍ତି, ତେବେ ବିପର୍ଯ୍ୟୟ ପରିଚାଳନା ୨୦୦୫ର ଧାରା ୫୧ ଓ ୬୦, ମହାମାରୀ ରୋଗ ୧୮୯୭ ଧାରା ଏବଂ ଆଇପିସିର ଧାରା ୧୮୮ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ବ୍ୟତୀତ ଅନ୍ୟାନ୍ୟ ନିୟମାବଳୀ ପ୍ରଯୁଜ୍ୟ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।