ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ଘରୋଇ ହସ୍ପିଟାଲ ପାଇଁ ଗାଇଡଲାଇନ୍ ଜାରି

ଭୁବନେଶ୍ୱର: ଏବେ କରୋନା ବିରୋଧରେ ଲଢ଼େଇ ଚାଲିଥିବା ବେଳେ ବିଭିନ୍ନ ରୋଗରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ କିଛି ଘରୋଇ ହସ୍ପିଟାଲ ଚିକିତ୍ସା ସେବା ଯୋଗାଇ ଦେବାରେ ଦ୍ୱିଧା ପ୍ରକାଶ କରୁଛନ୍ତି । ଏପରିକି ବହୁ ସମୟରେ ରୋଗୀଙ୍କୁ ଫେରାଇ ଦେଉଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ଥିବା ଘରୋଇ ହସ୍ପିଟାଲଗୁଡ଼ିକୁ କଡ଼ା ନିର୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ  ପକ୍ଷରୁ ଜାରି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି , କରୋନାର ଲକ୍ଷଣ ନ ଥିଲେ ସାଧାରଣ ରୋଗୀଙ୍କୁ କରୋନା ପରୀକ୍ଷା ପାଇଁ ବାଧ୍ୟ କରାଯାଇପାରିବ ନାହିଁ । ଏପରି ଅଭିଯୋଗ ଆସିଲେ ସମ୍ପୃକ୍ତ ହସ୍ପିଟାଲ କିମ୍ବା ନର୍ସିଂହୋମ୍‌ର ରେଜିଷ୍ଟ୍ରେସନ୍ ରଦ୍ଦ କରାଯିବ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।

ବିଶେଷ କରି ଡାଇଲେସିସ୍, ରକ୍ତ ସଂକ୍ରମଣ, କେମୋଥେରାପି ନେଉଥିବା ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ସମେତ ଜଟିଳ ସେବା ଯୋଗାଇବା ନିମନ୍ତେ କିଛି ଘରୋଇ ହସ୍ପିଟାଲ ଦ୍ୱିଧା ପ୍ରକାଶ କରୁଛନ୍ତି । ତେଣୁ ଏକ୍ଷେତ୍ରରେ ଯତ୍ନବାନ ହେବା ସହ ରୋଗୀଙ୍କୁ ନଫେରାଇବାକୁ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଏଥିସହ ୫ ବର୍ଷ ବୟସରୁ କମ୍ ବୟସ୍କ ଶିଶୁ, ସଂକ୍ରମଣ ରୋଗୀଙ୍କୁ ନଫେରାଇ ସେବା ଯୋଗାଇବାକୁ ନୋଟିସ୍‌ରେ ଉଲ୍ଲେଖ କରାଯାଇଛି। ଯେଉଁ ମେଡିକାଲଗୁଡିକ ନିର୍ଦ୍ଦେଶର ଖିଲାପ କରିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ସମ୍ପୃକ୍ତ ହସ୍ପିଟାଲ କିମ୍ବା ନର୍ସିଂହୋମ୍‌ର ରେଜିଷ୍ଟ୍ରେସନ୍ ରଦ୍ଦ କରାଯିବ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଲେଖାଯାଇଛି।