ଲାଗୁ ହେଲା ଜିଏସଟି,ଏଣିକି ଗୋଟିଏ ଦେଶ ଗୋଟିଏ କର

ନୂଆଦିଲ୍ଲୀ : ଶୁକ୍ରବାର ମଧ୍ୟରାତ୍ରରୁ ସାରା ଦେଶରେ ଏକକ ଟିକସ ବ୍ୟବସ୍ଥା ଜିଏସ୍ଟି (ଦ୍ରବ୍ୟ ଓ ସେବା ଟିକସ) ଲାଗୁ ହୋଇଛି । ଗୋଟିଏ ଦେଶ- ଗୋଟିଏ ଟିକସ- ଗୋଟିଏ ମାର୍କେଟ୍ ପାଇଁ ପଥ ଉନ୍ମୁକ୍ତ କରିଛି ଜିଏସ୍ଟି । ସ୍ୱାଧୀନତା ପରେ ଏହା ହେଉଛି ସବୁଠାରୁ ବଡ଼ ଟିକସ ସଂସ୍କାର ବ୍ୟବସ୍ଥା । ସଂସଦର ଐତିହାସିକ ସେଣ୍ଟ୍ରାଲ ହଲ୍ରେ ମଧ୍ୟରାତି୍ରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଭାବେ ଜିଏସ୍ଟି ଲଞ୍ଚ୍ କରିଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ରାତି ୧୧ଟାରେ ସଂସଦର ସେଣ୍ଟ୍ରାଲ ହଲ୍ରେ ସମାରୋହର ଶୁଭାରମ୍ଭ ହୋଇଥିଲା । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଉପରାଷ୍ଟ୍ରପତି ମହମ୍ମଦ ହମିଦ୍ ଅନ୍ସାରୀ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡା ମଞ୍ଚାସୀନ ହେବା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ପ୍ରାରମ୍ଭିକ ସୂଚନାଦେଇ ଜିଏସ୍ଟିର ସକାରାତ୍ମକ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ, ଜିଏସ୍ଟି ଏକ ମହତ୍ତ୍ୱାକାଂକ୍ଷୀ ଟିକସ ସଂସ୍କାର ବ୍ୟବସ୍ଥା । ଏହା ଦ୍ୱାରା ଗୋଟିଏ ଦେଶରେ ଗୋଟିଏ ଟିକସ, ଗୋଟିଏ ମାର୍କେଟ୍ ସୃଷ୍ଟି ହୋଇପାରିବ । ଜିଏସ୍ଟି ପରିଷଦ ବୈଠକ ୧୮ ଥର ଅନୁଷ୍ଠିତ ହୋଇଥିଲେ ମଧ୍ୟ କେବେ ଭୋଟିଂର ଆବଶ୍ୟକତା ପଡ଼ିନାହିଁ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବକ୍ତବ୍ୟରେ ଜିଏସ୍ଟି ଦୀର୍ଘ ଉଦ୍ୟମର ଫଳ ବୋଲି ମତ ଦେଇଥିଲେ । ସେ କହିଲେ, କୌଣସି ଗୋଟିଏ ଦଳ ବା ଗୋଟିଏ ସରକାରକୁ ଏହାର ଶ୍ରେୟ ଦିଆଯାଇ ପାରିବ ନାହିଁ । ଏହା ସମସ୍ତଙ୍କ ଉଦ୍ୟମର ଫଳ । ଏ ସମ୍ପର୍କରେ କେନ୍ଦ୍ର ସରକାର ଦୀର୍ଘ ବର୍ଷ ଧରି ରାଜ୍ୟଗୁଡ଼ିକ ସହ ଆଲୋଚନା କରିଥିଲେ । ଏହା ସଂଘୀୟ ସହଯୋଗର ଏକ ଉଦାହରଣ । ଦୀର୍ଘ ଦଶନ୍ଧି ତଳେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶର ମିଶ୍ରଣ ପାଇଁ ଯାହା କରିଥିଲେ, ଜିଏସ୍ଟି ଭାରତର ଆର୍ଥିକ ସଂହତି ପାଇଁ ତାହା କରିବାକୁ ଯାଉଛି । ଜିଏସ୍ଟି ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏକତ୍ର କରିପାରି ଥିବାରୁ ଟୋଲ୍ ପ୍ଲାଜାରେ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।
ଏହି ଏକକ ଟିକସ ବ୍ୟବସ୍ଥା ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛତା ଆଣିବ ଏବଂ କଳାଧନ ରୋକିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ପରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦ୍ବୋଧନ ଦେଇ କହିଲେ, ଜିଏସ୍ଟି ପ୍ରବର୍ତ୍ତନ ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଜିଏସ୍ଟି ଦ୍ୱାରା ଭାରତର ରପ୍ତାନି ଅଧିକ ପ୍ରତିଯୋଗିତାମୂଳକ ହୋଇପାରିବ ଏବଂ ଦେଶରେ ଶିଳ୍ପ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ । ରାଷ୍ଟ୍ରପତିଙ୍କ ବକ୍ତବ୍ୟ ପରେ ଠିକ୍ ରାତି ୧୨ଟାରେ ଘଣ୍ଟା ବାଜିଥିଲା ଏବଂ ରାଷ୍ଟ୍ରପତି ଓ
ପ୍ରଧାନମନ୍ତ୍ରୀ ଜିଏସ୍ଟି ଲଞ୍ଚ୍ କରିଥିଲେ । ଏହା ପରେ ଜାତୀୟ ସଂଗୀତ ଗାନ ପରେ ସମାରୋହ ଶେଷ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ସେଣ୍ଟ୍ରାଲ ହଲ୍ରେ ଏହିଭଳି ୩ ଥର ମଧ୍ୟରାତି୍ର ଅଧିବେଶନ ବସିଥିଲା । ୧୯୪୭ ଅଗଷ୍ଟ ୧୪ ରାତିରେ ଦେଶ ସ୍ୱାଧୀନତା ହାସଲ କରିଥିବାରୁ ଏଭଳି ସମାରୋହ ହୋଇଥିଲା । ୧୯୭୨ ଅଗଷ୍ଟ ୧୪ ତାରିଖ ରାତିରେ ସ୍ୱାଧୀନତାର ରୌପ୍ୟଜୟନ୍ତୀ ଏବଂ ୧୯୯୩ ଅଗଷ୍ଟ ୧୪ ତାରିଖ ରାତିରେ ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ ପାଇଁ ସମାରୋହ ଆୟୋଜିତ ହୋଇଥିଲା । ଏଥର ପ୍ରଥମ ଥର ପାଇଁ ଟିକସ ସଂସ୍କାର ବ୍ୟବସ୍ଥା ଲାଗୁ କରିବାକୁ ଏଭଳି ମଧ୍ୟରାତି୍ର ସମାରୋହ ଅନୁଷ୍ଠିତ ହୋଇଛି । ଏଥିପାଇଁ ସଂସଦ ଭବନକୁ ଆଲୋକମାଳାରେ ସଜା ଯାଇଥିଲା । ନୂଆ କାର୍ପେଟ୍ ବିଛାଯାଇ ସେଣ୍ଟ୍ରାଲ ହଲ୍କୁ ଏକ ନୂଆ ରୂପ ଦିଆଯାଇଥିଲା । ଏଥିପାଇଁ ସ୍ୱତନ୍ତ୍ର ସାଉଣ୍ଡ ସିଷ୍ଟମ୍ର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଠିକ୍ ୧୨ଟା ବାଜିବା ମାତ୍ରେ ଏକ ଘଣ୍ଟା ବାଜିଥିଲା ଏବଂ ପ୍ରଧାନମନ୍ତ୍ରୀ ଜିଏସ୍ଟି ଲଞ୍ଚ୍ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କୁ ସମାରୋହକୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେ ଯୋଗ ଦେଇନଥିଲେ । ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ଓ ବାମପନ୍ଥୀ ସମେତ କେତେକ ବିରୋଧୀ ଦଳ ଏହି ସମାରୋହକୁ ବର୍ଜନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଥିଲେ, ତାଙ୍କ ଦଳ ଆଦର୍ଶଗତ କାରଣରୁ ଏହି ଲଞ୍ଚôଂ ସମାରୋହକୁ ବର୍ଜନ କରୁଛି । ଏହା ପୂର୍ବରୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି କହିଥିଲେ, ମୋଦି ଆଗରୁ ଜିଏସ୍ଟିକୁ ବିରୋଧ କରୁଥିଲେ, ଏବେ ଏହା ସପକ୍ଷରେ ଦୃଢ଼ ଯୁକ୍ତି ବାଢ଼ୁଛନ୍ତି । ସେ ଏତେ ଶୀଘ୍ର ନିଜ କଥା କିଭଳି ଭୁଲିଗଲେ ବୋଲି ରାହୁଲ ପ୍ରଶ୍ନ ଉଠାଇଛନ୍ତି । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ, ଡିଏମ୍କେ ଓ ଲାଲୁ ପ୍ରସାଦ ଯାଦବଙ୍କ ଆର୍ଜେଡି ମଧ୍ୟ ଏହାକୁ ବର୍ଜନ କରିଛି । ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ଜିଏସ୍ଟିକୁ ସମର୍ଥନ କରୁଥିଲେ ମଧ୍ୟ ଉତ୍ସବରେ ଯୋଗ ଦେଇନଥିଲେ । ନୀତୀଶଙ୍କ ପକ୍ଷରୁ ବିହାରର ଶକ୍ତିମନ୍ତ୍ରୀ ବିଜେନ୍ଦ୍ର ପ୍ରସାଦ ଯାଦବ ଯୋଗ ଦେଇଥିଲେ । ସମାଜବାଦୀ ପାର୍ଟି ଜିଏସ୍ଟିକୁ ବିରୋଧ କରୁଥିଲେ ମଧ୍ୟ ଏଥିରେ ଯୋଗ ଦେଇଥିଲା । ସମାରୋହ ପୂର୍ବରୁ ଦଳୀୟ ନେତା ନରେଶ ଅଗ୍ରୱାଲ କହିଥିଲେ, ଏହା ଏକ କଳା ଆଇନ ହୋଇଥିବାରୁ ଆମେ ବିରୋଧ କରୁଛୁ । କିନ୍ତୁ ଅଯଥା ବିବାଦ ସୃଷ୍ଟି କରିବାକୁ ଚାହୁଁନଥିବାରୁ ଏହି ସମାରୋହରେ ଯୋଗଦେବୁ । ତାମିଲନାଡୁର ଶାସକ ଦଳ ଏଆଇଏଡିଏମ୍କେ ସଦସ୍ୟମାନେ ସଂସଦରେ ଜିଏସ୍ଟି ପାସ୍ ବେଳେ କକ୍ଷତ୍ୟାଗ କରିଥିଲେ ମଧ୍ୟ ଏବେ ଜିଏସ୍ଟିକୁ ସମର୍ଥନ ଜଣାଇ ସମାରୋହରେ ଯୋଗ ଦେଇଥିଲେ । ଆଜିର ସମାରୋହରେ ଅନ୍ୟତମ ଆକର୍ଷଣ ଥିଲେ, ମେଗାଷ୍ଟାର୍ ଅମିତାଭ ବଚ୍ଚନ ଓ ବିଶିଷ୍ଟ ଶିଳ୍ପପତି ରତନ ଟାଟା । ବିଶିଷ୍ଟ ଗାୟିକା ଲତା ମଙ୍ଗେସକର, ବିଜେପି ସଭାପତି ଅମିତ ଶାହ, ଦଳର ବରିଷ୍ଠ ନେତା ଲାଲ୍କୃଷ୍ଣ ଆଡଭାନୀ, ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ଅତିଥିଙ୍କ ଗହଣରେ ସାମିଲ ହୋଇଥିଲେ । ଏହି ସମାରୋହକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଥିଲା । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ଓ ନ୍ୟାସନାଲ କନ୍ଫରେନ୍ସର ନେତା ଅବ୍ଦୁଲ୍ ରହିମ୍ ରାଠେର୍ଙ୍କୁ ମଧ୍ୟ ଆମନ୍ତ୍ରଣ
କରାଯାଇଥିଲା । ଅନ୍ୟ ଆମନ୍ତ୍ରିତ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ଆର୍ବିଆଇର ଗଭର୍ଣ୍ଣର ଉର୍ଜିତ୍ ପଟେଲ ଏବଂ ତାଙ୍କ ପୂର୍ବ ସୁରୀ ବିମଲ ଜଲାନ୍, ୱାଇଭି ରେଡ୍ଡି ଓ ଡି ସୁବାରାଓ । ପୂର୍ବତନ ଆର୍ବିଆଇ ଗଭର୍ଣ୍ଣର ରଘୁରାମ ରାଜନଙ୍କ ନାମ ନିମନ୍ତ୍ରିତ ଅତିଥି ତାଲିକାରେ ସ୍ଥାନ ପାଇନଥିଲା । ଏହାଛଡ଼ା ସିଏଜି ଶଶିକାନ୍ତ ଶର୍ମା, ତାଙ୍କର ପୂର୍ବ ସୁରୀ ବିନୋଦ ରାୟ ଓ ଟିଏନ୍ ଚତୁର୍ବେଦୀ, ସିଭିସି କେଭି ଚୌଧୁରୀ ଏବଂ ମୁଖ୍ୟ ନିର୍ବାଚନ କମିଶନର୍ ନସିମ୍ ଜୈଦୀ ଓ ତାଙ୍କର ଦୁଇ ସହଯୋଗୀ, ନୀତି ଆୟୋଗର ଉପାଧ୍ୟକ୍ଷ ଅରବିନ୍ଦ ପାନ୍ଗାରିଆ ଏବଂ ମେଟ୍ରୋ ମ୍ୟାନ୍ ଇ ଶ୍ରୀଧରନ୍ ଏହି ସମାରୋହରେ ଯୋଗ ଦେଇଥିଲେ । ସମ୍ପାଦକ ଏସ୍ ଗୁରୁମୂର୍ତ୍ତି, କୃଷି ବିଜ୍ଞାନୀ ଏମ୍ଏସ୍ ସ୍ୱାମୀନାଥନ, ୟୁପିଏସ୍ସି ଅଧ୍ୟକ୍ଷ ଡେଭିଡ୍ ଆର୍ ସିମେଲିହ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ଆଇନଜ୍ଞ ସୋଲି ସୋରାବ୍ଜୀ, କେକେ ବେନୁଗୋପାଲ୍ ଓ ହରିଶ୍ ସାଲ୍ଭେ ଏବଂ ଶିଳ୍ପ ଓ ବଣିକ ସଂଘ (ଫିକି)ର ପଙ୍କଜ ପଟେଲ, ସିଆଇଆଇର ଶୋଭନା କାମିନେନି ଏବଂ ‘ଆସୋଚାମ୍’ର ସୁନୀଲ୍ କାନୋରିଆଙ୍କୁ ଆମନ୍ତ୍ରଣ କରାଯାଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ସମସ୍ତ ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ଏହି ସମାରୋହରେ ଉପସ୍ଥିତ ରହିବା ଲାଗି ପତ୍ର ଲେଖି ଅନୁରୋଧ କରିଥିଲେ ।