କଟକ:୨୦୦୯ ମସିହା ଏପ୍ରିଲରୁ ଅକ୍ଟୋବର ମାସ ମଧ୍ୟରେ ଓଡ଼ିଶା ରାଜ୍ୟ ଦ୍ରବ୍ୟ ସେବାକର(ଜିଏସଟି) ଓ କେନ୍ଦ୍ରୀୟ ଜିଏସଟି ବାବଦ ୮୬୮୩.୮୫କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଛି । ପୂର୍ବବର୍ଷ ଏହି ସମୟରେ ୬୬୬୭୫.୮୩କୋଟି ଟଙ୍କା ଜିଏସଟି ସଂଗୃହୀତ ହୋଇଥିଲା । ଓଡ଼ିଶାର ହାରାହାରି ଅଭିବୃଦ୍ଧି ହାର ୩୦.୦୮ ପ୍ରତିଶତ ରହିଛି, ଯାହାକି ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ସର୍ବାଧିକ ଏବଂ ଜାତୀୟ ହାର ୧୧.୫୩ ପ୍ରତିଶତ ଠାରୁ ମଧ୍ୟ ଅଧିକ । ନଭେମ୍ବର ମାସରେ ରାଜ୍ୟ ଜିଏସଟି ଅନ୍ତର୍ଗତ ରାଜସ୍ୱ ପୂର୍ବବର୍ଷ ଏହି ମାସ ତୁଳନାରେ ୩୮ ପ୍ରତିଶତ ବୃଦ୍ଧି ପାଇଛି ।
ନିର୍ଦ୍ଧାରିତ ତାରିଖ ମଧ୍ୟରେ ଶତପ୍ରତିଶତ ରିଟର୍ଣ୍ଣ ଦାଖଲ ପ୍ରକ୍ରିୟା ନିଶ୍ଚିତ କରିବା ପାଇଁ ରାଜ୍ୟ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଆୟୁକ୍ତ ଶ୍ରୀଯୁକ୍ତ ସୁଶୀଲ କୁମାର ଲୋହନୀ, ଲୋହାନି, ଆଇଏଏସ୍, କ୍ଷେତ୍ରୀୟ କାର୍ଯ୍ୟାଳୟ(ସର୍କଲ) ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ଟିକସଦାତାଙ୍କ ତରଫରୁ ରିଟର୍ଣ୍ଣ ଦଖଲରେ ମଧ୍ୟ ଉଲ୍ଲେଖନୟ ଅଗ୍ରଗତି ଘଟିଛି । ୨୦୧୮ ମସିହା ଅକ୍ଟୋବରରେ ୬୫.୩୧ ପ୍ରତିଶତ ଟିକସଦାତା ରିଟର୍ଣ୍ଣ ଦାଖଲ କରିଥିବାବେଳେ ଚଳିତବର୍ଷ ଅକ୍ଟୋବରରେ ୮୩.୫୦ ପ୍ରତିଶତ ଟିକସଦାତା ରିଟର୍ଣ୍ଣ ଦାଖଲ କରିଛନ୍ତି ।
ରିଟର୍ଣ୍ଣ ଦାଖଲ ଖିଲାପକାରୀ ଓ ଭୁଲ ରିଟର୍ଣ୍ଣ ଦାଖଲକାରୀ ବିରୋଧରେ ରାଜ୍ୟ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ସଂସ୍ଥା ତରଫରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । କେବଳ ଚଳିତବର୍ଷ ନଭେମ୍ବରରେ ରିଟର୍ଣ୍ଣ ଦାଖଲ ଖିଲାପକାରଙ୍କ ବିରୋଧରେ ୧୦ ହଜାରରରୁ ଅଧିକ ନୋଟିସ୍ ଜାରି କରାଯାଇଛି । ଯେଉଁ ଟିକସଦାତାଙ୍କ ଟିକସ ଦେୟ ପରିମାଣ ଓ ପ୍ରାପ୍ୟ ମଧ୍ୟରେ ଅସାମଞ୍ଜସ୍ୟ ରହୁଛି, ସେମାନଙ୍କ ରିଟର୍ଣ୍ଣ ଗୁଡିକରେ ଯାଂଚ ପ୍ରକ୍ରିୟା ନିଶ୍ଚିତ କରିବା ପାଇଁ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମଧ୍ୟ କମିଶନର କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।
ଟିକସଦାତାଙ୍କ ସଂଖ୍ୟାରେ ବୃଦ୍ଧି ପାଇଁ ବିଶେଷକରି ସେବା କ୍ଷେତ୍ରରେ ସମ୍ଭାବ୍ୟ ଯୋଗ୍ୟ ଟିକସଦାତାଙ୍କ ସର୍ଭେ କରିବାକୁ ସର୍କଲ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୦ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତ ନୂତନ ମାମଲାରେ ଶତପ୍ରତିଶତ ପଞ୍ଜୀକରଣ ପରବର୍ତୀ ଅନୁସନ୍ଧାନ ପ୍ରକ୍ରିୟା ଏବଂ ଟିକସଦାତାଙ୍କ କ୍ଷେତ୍ରରେ ଅତି କମରେ ୫୦ ପ୍ରତିଶତ ଅନୁସନ୍ଧାନ ପ୍ରକ୍ରିୟା ଶେଷ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ତଥ୍ୟ ବିଷ୍ଳେଷଣ ବ୍ୟବସ୍ଥାକୁ ଭିତିକରି ଟିକସ ଫାଙ୍କୁଥିବା ସନ୍ଦିଗ୍ଧ ଟିକସଦାତାଙ୍କ ବିରୋଧରେ ଏନଫୋର୍ସମେଂଟ ଶାଖା ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅକସ୍ମାତ ଚଢ଼ାଉ, ବ୍ୟବସାୟ ପ୍ରତିଷ୍ଠାନ ତଲାସି ମାଧ୍ୟମରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇ କେତେକ ଟିକସଦାତା ଏବଂ ସେମାନଙ୍କୁ ସୁରକ୍ଷା ଦେଉଥିବା କେତେକ ବ୍ୟକ୍ତି ବିଶେଷଙ୍କୁ ଗିରଫ କରାଯାଇଛି । ଟିକସ ଫାଙ୍କିବାରେ ସେମାନଙ୍କୁ ସମ୍ପୃକ୍ତିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ଏହି ଗିରଫଦାରୀ କରାଯାଇଛି ।
ଟିକସଦାତାମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ପ୍ରତି ମଧ୍ୟ ବାଣିଜ୍ୟକର ବିଭାଗ ସଚେତନ ଅଛି । ସୂଚନା ପ୍ରଯୁକ୍ତି ବ୍ୟବସ୍ଥା ସମେତ ବିଭିନ୍ନ ପ୍ରକ୍ରିୟା ଓ ନୀତିରେ ହେଉଥିବା ନୂଆ ପରିବର୍ତନ ସମ୍ପର୍କରେ ଟିକସଦାତାମାନଙ୍କୁ ସଚେତନ କରିବା ପାଇଁ ବାଣିଜ୍ୟକର ବିଭାଗ ବ୍ୟାପକ ଭାବେ ଲୋକମାନଙ୍କ ନିକଟକୁ ଯାଉଛି ।