ସୋମବାରଠୁ ଏଝଞ ଛାଟ : ଜନତାଙ୍କ ଉପରେ ମହଙ୍ଗା ମାଡ଼

ନୂଆଦିଲ୍ଲୀ  : ଜିଏସଟି କାଉନସିଲଙ୍କ ନିଷ୍ପତ୍ତି ଦେଶରେ ସୋମବାର ଲାଗୁ ହୋଇଯିବ । ଫଳରେ ଅନେକ ନିତ୍ୟବ୍ୟବହାର୍ଯ୍ୟ ଓ ଜରୁରୀ ସେବା ସାମଗ୍ରୀ ଜିଏସଟି ଅନ୍ତର୍ଗତ ହୋଇଥିବାରୁ ସେଗୁଡିକ ମହଙ୍ଗା ହେବ । ଏଥିରୁ ଖାଦ୍ୟପଦାର୍ଥ ବି ବାଦ ପଡିବନି । ବିଶେଷ କରି ଆମେ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ଖାଦ୍ୟ ଓ ସାମଗ୍ରୀ ମହଙ୍ଗା ହେବାକୁ ଯାଉଥିବାରୁ ତାହା ଖାଉଟିଙ୍କୁ ବିଶେଷ ଭାବେ ପ୍ରଭାବିତ କରିବ । ଏହିପରି ସାମଗ୍ରୀ ମଧ୍ୟରେ ପୂର୍ବରୁ ପ୍ୟାକ୍ ହୋଇଥିବା ତଥା ଲେବୁଲ ଲଗା (ଫ୍ରୋଜନକୁ ବାଦ ଦେଇ) ଖାଦ୍ୟ ପଦାର୍ଥ ଜେପରି ଅଟା, ପନିର, ଦହି, ମାଛ, ମହୂ, ସୁଖିଲା ମଖାନା (ଖଇ) ,ସୁଖିଲା ସୋୟାବିନ, ମଟର ଭଳି ଉତ୍ପାଦ, ଚୁଡା, ମୁଢି, ଘୋଳ ଦହି,ଗୁଡ଼, ଚାଉଳ, ଓଟସ୍‌, ବାର୍ଲି, ପଇଡ଼, ପାଣି ଓ ଚାଉଳ ଅଟା ଆଦି ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ତେବେ ପଇଡ଼ ପାଣି ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ନିମନ୍ତେ ଗତ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠି ଜିଏସଟି କାଉନସିଲ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ତେବେ ଖୋଲାରେ ବିକ୍ରି ହେଉଥିବା ସାମଗ୍ରୀ ପୂର୍ବ ପରି ଜିଏସଟି ପରିସରରୁ ବାଦ ରହିବ। ୫ ହଜାରରୁ ଅଧିକ ଭଡାର ହସ୍ପିଟାଲ କ୍ୟାବିନ ଲାଗି ମଧ୍ୟ ଜିଏସଟି ଆଦାୟ ହେବ । ଦୈନିକ ୧୦୦୦ ଟଙ୍କାରୁ କମ୍‌‌ ମୂଲ୍ୟର ହୋଟେଲ ରୁମ ପାଇଁ ମଧ୍ୟ ୧୨ ପ୍ରତିଶତ ଜିଏସଟି ପୈଠ କରିବାକୁ ହେବ । ଏପର୍ଯ୍ୟନ୍ତ ଏହି ସବୁ ସେବା ଓ ସାମଗ୍ରୀ ଉପରେ କୌଣସି କର ଦେବାକୁ ପଡୁ ନଥିଲା । କର ହାରରେ ଏହି ପରିବର୍ତ୍ତନ ଦେଶରେ ଜୁଲାଇ ୧୮ ତାରିଖରୁ କାର୍ଯ୍ୟକାରୀ ହେବ । ଏହି ନୂଆ କର ହାରରେ ଟ୍ରେଟ୍ରା ପ୍ୟାକ୍‌, ବ୍ୟାଙ୍କ ପକ୍ଷରୁ ଜାରି ଚେକ୍ ଉପରେ ୧୮ ପ୍ରତିଶତ ଓ ଶିକ୍ଷା ଉପକରଣ ଆଟଲାସ ସମେତ ନକ୍ସା ଓ ଚାର୍ଟ ଉପରେ ୧୨ ପ୍ରତିଶତ ଜିଏସଟି ଲାଗିବ ।

ଏହା ଛଡା ପ୍ରିଣ୍ଟିଂ, ଡ୍ରଇଂ ଇଙ୍କ, ଧାରୁଆ ଛୁରୀ, କାଗଜ କଟା ଛୁରୀ, ପେନସିଲ କଟର, ଏଲଇଡି ଲ୍ୟାମ୍ପ, ଡ୍ରଇଂ ଓ ମାର୍କିଂ ହେଉଥିବା ଉତ୍ପାଦ ଉପରେ କର ଦର ବଢାଇ ୧୮ ପ୍ରତିଶତ କରିଦିଆଯାଇଛି । ସେହିପରି ସୌର ୱାଟର ହିଟର ଉପରେ ଏବେଠୁ ୧୨ ପ୍ରତିଶତ ଶୁଳ୍କ ଧାର୍ଯ୍ୟ ହେବ, ପୂର୍ବରୁ ଏଥିପାଇଁ ୫ ପ୍ରତିଶତ ଶୁଳ୍କ ଅସୁଲ ହେଉଥିଲା । ଏହା ଛଡା ସଡ଼କ, ପୋଲ, ରେଲୱେ, ମେଟ୍ରୋ, ୱେଷ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ଶବଦାହ ଗୃହ ଲାଗି ଜାରି ହେଉଥିବା ୱାର୍କ କଣ୍ଟ୍ରାକ୍ଟ ଉପରେ ଏଣିକି ୧୮ ପ୍ରତିଶତ ଜିଏସଟି ଲାଗିବ । ଏ ପର୍ଯ୍ୟନ୍ତ ଏହି ସବୁ ଲାଗି ୧୨ ପ୍ରତିଶତ କର ଅସୁଲ ହେଉଥିଲା ।

ତେବେ ରୋପ ୱେ ମାଧ୍ୟମରେ ବସ୍ତୁ ଓ ଯାତ୍ରୀ ପରିବହନ ସମେତ କେତେକ ସର୍ଜରି ସମ୍ପର୍କିତ ଉପକରଣ ଉପରେ କର ହାର ହ୍ରାସ କରି ୫ ପ୍ରତିଶତ କରାଯାଇଛି । ତେବେ ପୂର୍ବରୁ ଏହା ୧୨ ପ୍ରତିଶତ ଥିଲା । ଟ୍ରକ, ମାଲ ପରିବହନ ଲାଗି ବ୍ୟବହାର ହେଉଥିବା ବାହନ (ଯେଉଁଥିରେ ଇନ୍ଧନର ଆବଶ୍ୟକତା ଅଛି) ସେବା ଉପରେ ଏବେ ୧୨ ପ୍ରତିଶତ ଶୁଳ୍କ ଅସୁଲ ହେବ । ପୂର୍ବରୁ ଏହି ସବୁ ସେବା ଲାଗି ୧୮ ପ୍ରତିଶତ ଜିଏସଟି ଅସୁଲ ହେଉଥିଲା ।

ଏହା ଛଡା ବାଗଡୋଗ୍ରାରୁ ପୂର୍ବୋତ୍ତର ରାଜ୍ୟଙ୍କୁ ବିମାନ ଯାତ୍ରାରେ ଜିଏସଟି ରିହାତି ଏବେ ଇକୋନମି କ୍ଲାସ ପର୍ଯ୍ୟନ୍ତ ସୀମିତ ରହିବ । ଆଗକୁ ଆରବିଆଇ, ବୀମା ନିୟାମକ ଓ ବିକାଶ ପ୍ରାଧିକରଣ, ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ଙ୍କ ସେବା ସହିତ ଆବାସୀୟ ବାସଗୃହ ବ୍ୟବସାୟୀଙ୍କୁ ଭଡ଼ାରେ ଦେଲେ ଏଣିକି କର ଲାଗିବ । ବ୍ୟାଟେରୀ ଓ ଏହା ଦ୍ୱାରା ଚାଲୁଥିବା ବୈଦୁତିକ ବାହନ ଲାଗି ଜିଏସଟି ରିହାତି ୫ ପ୍ରତିଶତ ରହିବ ।