କମିଲା ଜିଏସଟି : ଶସ୍ତା ହେବ ଟିଭି, କମ୍ପ୍ୟୁଟର ଓ ସିନେମା ଟିକଟ

ଭୁବନେଶ୍ୱର : ସାଧାରଣ ଜନତାଙ୍କୁ ଟିକସ ଭାରରୁ ଆଶ୍ୱସ୍ତି ଦେବା ଉଦ୍ଦେଶ୍ୟରେ ସରକାର ଆଜି ବହୁ ସାମଗ୍ରୀ ଉପରୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ହାର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ଟିଭି, କମ୍ପ୍ୟୁଟର ଓ ସିନେମା ଟିକେଟ୍ ପ୍ରଭୃତି ଶସ୍ତା ହେବ । ଜିଏସ୍ଟି ପରିଷଦ ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି, ଜିଏସ୍ଟିର ସର୍ବୋଚ୍ଚ ୨୮% ସ୍ଲାବ୍ରୁ ୭ ସାମଗ୍ରୀ ବାଦ୍ ଦିଆଯାଇଛି ।

ଏବେ କେବଳ ଏହି ସ୍ଲାବ୍ରେ ୨୮ଟି ସାମଗ୍ରୀ ରହିବ, ଯେଉଁଗୁଡ଼ିକ ବିଳାସପୂର୍ଣ୍ଣ ସାମଗ୍ରୀ । ଏଗୁଡ଼ିକ ମଧ୍ୟରେ ଏୟାର କଣ୍ଡିସନର୍, ପାନ ମସଲା, ମୃଦୁ ପାନୀୟ ଓ ତମାଖୁ ପ୍ରଭୃତି ଅନ୍ତର୍ଭୁକ୍ତ । ୩୨ ଇଞ୍ଚ୍ ପର୍ଯ୍ୟନ୍ତ ଟିଭି, ସିନେମା ଟିକେଟ୍, ଭିଡିଓ ଗେମ୍ ଓ ଟାୟାର ପ୍ରଭୃତିର ଟିକସ ହ୍ରାସ କରାଯାଇଛି । ୧୦୦ ଟଙ୍କା ଯାଏ ସିନେମା ଟିକେଟ୍କୁ ୧୨% ଟିକସ ସ୍ଲାବ୍କୁ ହ୍ରାସ କରାଯାଇଛି । ୧୦୦ ଟଙ୍କାରୁ ଊଦ୍ଧ୍ୱର୍ ମୂଲ୍ୟର ଟିକେଟ୍ ପୂର୍ବପରି ୧୮% ସ୍ଲାବ୍ରେ ରହିବ । ତୀର୍ଥଯାତ୍ରା ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ବିମାନ ଯାତ୍ରା କ୍ଷେତ୍ରରେ ଇକୋନୋମି କ୍ଲାସ୍ ପାଇଁ ୫% ଜିଏସ୍ଟି ଏବଂ ବିଜିନେସ୍ କ୍ଲାସ୍ ପାଇଁ ୧୨% ଜିଏସ୍ଟି ଲାଗୁ ହେବ ।

ସିମେଣ୍ଟ ଅଟୋ ପାର୍ଟ୍ସ ଉପରୁ ଜିଏସ୍ଟି ହ୍ରାସ ନ କରିବାକୁ ନିଷ୍ପତ୍ତି ହୋଇଛି । ରାଜସ୍ୱ ଉପରେ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଏଭଳି କରାଯାଇଛି । ଜେଟ୍ଲୀ କହିଛନ୍ତି, ଟପ୍ ଟ୍ୟାକ୍ସ ସ୍ଲାବ୍ରେ କେବଳ ୦.୫ କିମ୍ବା ୧% ସାମଗ୍ରୀ ରହିଲା । ଟିକସ ହ୍ରାସ ଦ୍ୱାରା ରାଜସ୍ୱ ଉପରେ ପ୍ରଭାବ ପଡ଼ିବ । ଜିଏସ୍ଟି ପରିଷଦ ବୈଠକରେ ୨୩ ସାମଗ୍ରୀ ଏବଂ ସେବା ଉପରେ ଜିଏସ୍ଟି ହ୍ରାସ କରାଯିବାକୁ ସହମତି ପ୍ରକାଶ ପାଇଛି । ୨୮% ଟିକସ ସ୍ଲାବ୍ରୁ ୬ଟି ସାମଗ୍ରୀ ବାଦ୍ ଦିଆଯାଇ ଥିଲା ବେଳେ ୧୮% ସ୍ଲାବ୍ରୁ ୨୬ ସାମଗ୍ରୀ ବାଦ୍ ଦିଆଯାଇଛି । ଏଗୁଡ଼ିକୁ ୧୨% କିମ୍ବା ୫% ଟିକସ ସ୍ଲାବ୍ରେ ଅନ୍ତର୍ଭୁକ୍ତ କରାଯାଇଛି । ଟିଭି, ଟାୟାର, ମୋବାଇଲ ବ୍ୟାଟେରି ଓ ଭିଡିଓ ଗେମ୍କୁ ୨୮% ଟିକସ ସ୍ଲାବ୍ରୁ ୧୮% ସ୍ଲାବ୍କୁ ଅଣାଯାଇଛି । ବ୍ୟାଙ୍କଗୁଡ଼ିକ ପକ୍ଷରୁ ଜନଧନ ଖାତାଧାରୀଙ୍କୁ ଦିଆଯାଉଥିବା ସେବାକୁ ଜିଏସ୍ଟିରୁ ବାଦ୍ ଦିଆଯାଇଛି ।

ଥାର୍ଡ ପାର୍ଟି ଇନ୍ସ୍ୟୁରାନ୍ସ ପ୍ରିମିୟମ୍ ଉପରେ ଜିଏସ୍ଟି ୧୮%ରୁ ୧୨%କୁ ହ୍ରାସ କରାଯାଇଛି । ରିୟଲ୍ ଇଷ୍ଟେଟ୍ ସେକ୍ଟରରେ ଜିଏସ୍ଟିର ଫୈସଲା ଆଗାମୀ ବୈଠକରେ କରାଯିବ ବୋଲି ଜେଟ୍ଲୀ କହିଛନ୍ତି । ଜିଏସ୍ଟି କାରଣରୁ କ୍ଷତି ସହୁଥିବା ରାଜ୍ୟଗୁଡ଼ିକୁ ୪୮ ହଜାର କୋଟି ଟଙ୍କାର କ୍ଷତିପୂରଣ ଦିଆଯାଉ ଥିଲା । ଚଳିତ ବର୍ଷ ୬୦ ହଜାର କୋଟି ଟଙ୍କା କ୍ଷତିପୂରଣ ଦିଆଯିବ । ଅର୍ଥମନ୍ତ୍ରୀ ଜେଟ୍ଲୀଙ୍କ ଅଧ୍ୟକ୍ଷତାରେ ଜିଏସ୍ଟି ପରିଷଦ ବୈଠକ ବସିଥିଲା । ଏଥିରେ ପରିଷଦର ସଦସ୍ୟ ତାମିଲନାଡୁ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଡି ଜୟକୁମାର, ଦିଲ୍ଲୀ ଅର୍ଥମନ୍ତ୍ରୀ ମନୀଷ ସିସୋଡିଆ, ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ୍ ମିତ୍ର, କର୍ଣ୍ଣାଟକ ପଞ୍ଚାୟତିରାଜ ମନ୍ତ୍ରୀ କେ ବାଇରେଗୌଡା, କେରଳ ଅର୍ଥମନ୍ତ୍ରୀ ଟିଏମ୍ ଥୋମାସ୍ ଆଇଜାକ୍, ହରିଆଣା ଅର୍ଥମନ୍ତ୍ରୀ କ୍ୟାପ୍ଟେନ୍ ଅଭିମନ୍ୟୁ ଓ ପଞ୍ଜାବ ଅର୍ଥମନ୍ତ୍ରୀ ମନ୍ପ୍ରୀତ୍ ସିଂହ ବାଦଲ ଯୋଗ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ ୨୦୧୭ ଜୁଲାଇ ପହିଲାରୁ ଜିଏସ୍ଟି ଲାଗୁ ହୋଇଛି ।