‘ଗୃହଲକ୍ଷ୍ମୀ’ ପତ୍ରିକା ମଡେଲ୍‌ଙ୍କ ସ୍ତନ୍ୟପାନ ଫଟୋ ମାମଲାରେ କୋର୍ଟଙ୍କ ରାୟ : ଅଶ୍ଳୀଳତା ଛବିରେ ନୁହେଁ, ଦେଖିବା ଲୋକର ଦୃଷ୍ଟିଭଙ୍ଗୀରେ ଥାଏ’  

ନୂଆଦିଲ୍ଲୀ: ‘ଜଣେ ମାଆ ତା’ର ଶିଶୁକୁ ସ୍ତନ୍ୟପାନ କରାଇବା ଦୃଶ୍ୟରେ କୌଣସି ଅଶ୍ଳୀଳତା ନାହିଁ। ଅଶ୍ଳୀଳତା ସନ୍ତ୍ୟପାନରେ ନୁହେଁ, ବରଂ ଦେଖିବା ଲୋକର ଦୃଷ୍ଟିଭଙ୍ଗୀରେ ହିଁ ରହିଥାଏ।’ ଗତ କିଛି ଦିନ ହେବ ବିବାଦରେ ଫସିରହିଥିଲା ମାଲାୟାଲମ୍‌ ପତ୍ରିକା ‘ଗୃହଲକ୍ଷ୍ମୀ’। ପତ୍ରିକାର ପ୍ରଚ୍ଛଦ ପୃଷ୍ଠାରେ ଜଣେ ମହିଳା ଶିଶୁକୁ ସ୍ତନ୍ୟପାନ କରାଉଥିବାର ଫଟୋ ଛାପିବା ପରେ ଆରମ୍ଭ ହୋଇଥିଲା ବିବାଦ। ‘ସର୍ବସାଧାରଣରେ ଅଶ୍ଳୀଳତା ପ୍ରଦର୍ଶନ’ ଅଭିଯୋଗରେ ପତ୍ରିକାର ପ୍ରକାଶକ ଏବଂ ଫଟୋରେ ଥିବା ମଡେଲ୍‌ ଜିଲୁ ଜୋସେଫ୍‌ଙ୍କ ନାଁରେ ଅଭିଯୋଗ ହୋଇଥିଲା। ‘ମହିଳା ଅଶ୍ଳୀଳ ନିଷେଧ ଅଧିନିୟମ’ ଧାରା ୩ ଓ ୪ ଅନୁଯାୟୀ ଜିଲୁଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା। ଉକ୍ତ ଅଭିଯୋଗର ବିଚାର କରି କେରଳ ହାଇକୋର୍ଟ ରାୟ ଦେଇଛନ୍ତି ଯେ ‘ଜଣେ ମାଆ ତା’ର ଶିଶୁକୁ ସ୍ତନ୍ୟପାନ କରାଇବା ଦୃଶ୍ୟରେ କୌଣସି ଅଶ୍ଳୀଳତା ନାହିଁ। ଅଶ୍ଳୀଳତା ସନ୍ତ୍ୟପାନରେ ନୁହେଁ, ବରଂ ଦେଖିବା ଲୋକର ଦୃଷ୍ଟିଭଙ୍ଗୀରେ ହିଁ ରହିଥାଏ।’ ବୋଲି କୋର୍ଟ କହିଛନ୍ତି। କୋର୍ଟ ଆହୁରି ବି କହିଛନ୍ତି ଯେ ‘କିଛି ଲୋକଙ୍କ ପାଇଁ ଯାହା ଅଶ୍ଳୀଳତା ଅନ୍ୟ କିଛି ଲୋକଙ୍କ ପାଇଁ ତାହା କଳାତ୍ମକ ଆଚରଣ ହୋଇପାରେ। ଜଣେ ଲୋକର ଅଶ୍ଳୀଳତା ଅନ୍ୟ ଜଣକ ପାଇଁ ସଂଗୀତ ହୋଇପାରେ।’

ଚଳିତବର୍ଷ ଫେବ୍ରୁଆରିରେ ମଡେଲ୍‌ ଜିଲୁ ଜୋସେଫ୍‌ଙ୍କର ମାଲାୟଲମ ପତ୍ରିକା ‘ଗୃହଲକ୍ଷ୍ମୀ’ର କଭର୍‌ ଫଟୋରେ ସ୍ତନ୍ୟପାନ ଦୃଶ୍ୟର ଏକ ଫଟୋ ପ୍ରକାଶ ପାଇଥିଲା। ଯାହାକି ଘୋର୍‌ ବିବାଦର କାରଣ ପାଲଟିଥିଲା। ପତ୍ରିକାର ପ୍ରକାଶକ ଏମ୍‌.ଭି. ଶ୍ରେୟାମ୍‌ସ କୁମାର ଏ ସଂପର୍କରେ ମତ ରଖିଥିଲେ ଯେ ସମାଜରେ ସ୍ତନ୍ୟପାନର ଉପକାରିତା ସଂପର୍କରେ ବାର୍ତ୍ତା ପ୍ରଦାନ କରିବା ପାଇଁ ଏପରି ଏକ କଭର୍‌ର ଚିନ୍ତା କରାଯାଇଥିଲା। ପିଲାକୁ କୌଣସି ବି ସ୍ଥାନରେ ସ୍ତନ୍ୟପାନ କରାଇବା ଜଣେ ମାଆର କର୍ତ୍ତବ୍ୟ। ଯଦି ସେଥିରେ କେହି ଅଶ୍ଳୀଳତା ଦେଖୁଛି ତ ସେ ଅସୁବିଧା ନିଜେ ସେହି ବ୍ୟକ୍ତିର।

ତେବେ କେରଳ ହାଇକୋର୍ଟ ପତ୍ରିକା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟର ହୋଇଥିବା ପିଟିସନ୍‌କୁ ଖାରଜ କରିଦେଇଛି। କୋର୍ଟଙ୍କ କହିବା ଅନୁଯାୟୀ “ଯାହାକୁ କିଛି ଲୋକ ଅଶ୍ଳୀଳତା କୁହନ୍ତି ତାହା କିଛି ଲୋକଙ୍କ ପାଇଁ କଳାତ୍ମକ ହୋଇପାରେ। ଜଣେ ଲୋକ ପାଇଁ ଯେଉଁଟା ଅଭଦ୍ରାମୀ ସେଇଟା ଅନ୍ୟ କାହା ପାଇଁ କଳାତ୍ମକ ବା ଆର୍ଟିଷ୍ଟିକ୍‌।”

ଜଷ୍ଟିସ୍ ଏଟନି ଡୋମିନିକ୍ ଏବଂ ଜଷ୍ଟିସ୍ ଦାମା ଶେଷାଦ୍ରି ନାଇଡୁ ଏହି ମାମଲାର ଶୁଣାଣି କରିଛନ୍ତି। ଏମାନେ କହିଛନ୍ତି, “ଆମକୁ ଫଟୋରେ କିଛି ଅଶ୍ଳୀଳତା ଦେଖାଗଲାନି। ଏହାର କ୍ୟାପ୍‌ସନ୍‌ରେ ମଧ୍ୟ କିଛି ଆପତ୍ତିଜନକ ବାର୍ତ୍ତା ନାହିଁ। ଆମେ ଏଇ ଫଟୋକୁ ସେମିତି ନଜରରେ ଦେଖୁଛୁ, ଯେମିତି ଆମେ ରାଜା ରବି ବର୍ମା ପରି କଳାକାରଙ୍କ ପେଣ୍ଟିଂକୁ ଦେଖୁ। ଯେମିତି ସୌନ୍ଦର୍ଯ୍ୟକୁ ଦେଖିବାର ଦୃଷ୍ଟିଭଙ୍ଗୀ ରହିଛି ସେମିତି ଅଶ୍ଳୀଳତା ମଧ୍ୟ ସମ୍ଭବତଃ ଜଣଙ୍କ ଦୃଷ୍ଟିଭଙ୍ଗୀରେ ଥାଏ।”