କ୍ଷମତାଶାଳୀ ବ୍ୟକ୍ତି ତାଲିକାରେ ରହିବା ପରେ ଧର୍ମେନ୍ଦ୍ରଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ଭୁବନେଶ୍ୱର:ଇଣ୍ଡିଆନ୍ ଏକ୍ସପ୍ରେସର ସର୍ଭେ ଅନୁସାରେ ଦେଶର ସବୁଠାରୁ କ୍ଷମତାଶାଳୀ ୧୦୦ଜଣ  ବ୍ୟକ୍ତି ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୪ ତମ ସ୍ଥାନରେ ରହିଛନ୍ତି । ଯାହାକୁ ନେଇ ରାଜ୍ୟ ବିଜେପି ତରଫରୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି ।

ଗତ ଦୁଇଦିନ ତଳେ ଇଣ୍ଡିଆନ ଏକ୍ସପ୍ରେସ ଦେଶର ୧୦୦ କ୍ଷମତାଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଥିଲା । ଯେଉଁଥିରେ ଓଡିଶାର ୪ଜଣ ବ୍ୟକ୍ତି ରହିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ୧୪ତମ ସ୍ଥାନରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ ଓ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ୨୯ ଓ ପିକେ ମିଶ୍ର ୧୯ତମ ସ୍ଥାନରେ ରହିଥିଲେ । ଧର୍ମେନ୍ଦ୍ର ୧୪ତମ ସ୍ଥାନରେ ରହିବା ପରେ ରାଜ୍ୟ ବିଜେପି ଆନନ୍ଦ ମନାଇଛି । ଏପରିକି ଦଳୀୟ କର୍ମୀଙ୍କ ଜୋସ ମଧ୍ୟ ବୃଦ୍ଧି ପାଇଥିଲା । ତେବେ ଆଜି ଧର୍ମେନ୍ଦ୍ର ଭୁବନେଶ୍ୱର ଆସିବା ପରେ ବିଜେପି ତରଫରୁ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଯାଇଛି । ବିଜେପିର ଶହଶହ ନେତା ଓ କର୍ମୀ ତାଙ୍କୁ ପୁଷ୍ପଗୁଚ୍ଛ ଦେବା ସହ ବାଦ୍ୟ ବଜାଇ ତାଙ୍କୁ ସ୍ୱାଗତ କରିଥିଲେ ।

ଏହି ସ୍ୱାଗତ ଉତ୍ସବରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ଜଗନ୍ନାଥ ପ୍ରଧାନ, ଅଭିଷେକ ଆଚାର୍ଯ୍ୟ, ଠାକୁର ରଣଜିତ ଦାସ ଆଦି ଉପସ୍ଥିତ ଥିଲେ ।