ଚେନ୍ନାଇ ପହଞ୍ଚିଲେ ଚୀନ ରାଷ୍ଟ୍ରପତି

ଚେନ୍ନାଇ :ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୁଇ ଦିବସୀୟ ଗସ୍ତ ଆଜିଠାରୁ ଆରମ୍ଭ ହେଉଛି । ଏହାରି ମଧ୍ୟରେ ଚୀନ ରାଷ୍ଟ୍ରମୁଖ୍ୟ ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଆଉ କିଛି ସମୟରେ ସେ ମହାବଳିପୁରମ ଆଭିମୁଖେ ଯାତ୍ରା ଆରମ୍ଭ କରିବେ । ବିମାନ ବନ୍ଦରରେ ପହଞ୍ଚିବା ପରେ ଚୀନ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ତାମିଲନାଡୁ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ଏବଂ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ବିମାନ ବନ୍ଦରରେ ସି ଜିନପିଙ୍ଗୁ ସ୍ୱାଗତ କରିଥିଲେ । 

ଭାରତର ପ୍ରଧାନମନ୍ତ୍ରୀ ଏବଂ ଚୀନ ରାଷ୍ଟ୍ରମୁଖ୍ୟଙ୍କୁ ସ୍ୱାଗତ କରିବା ପାଇଁ ପୂର୍ବ କୋଷ୍ଟାଲ ରୋଡରେ ସହର ଅଭିମୁଖେ ଯାଉଥିବା ସଡ଼କରେ ଏକ ଭବ୍ୟ ତୋରଣ ନିର୍ମାଣ କରାଯାଇଛି। ଚୀନ ରାଷ୍ଟ୍ରପତି ଯେଉଁ ଆଇଟିସିର ଗ୍ରେଣ୍ଡ ଚୋଲା ହୋଟେଲରେ ଅବସ୍ଥାପିତ କରିବେ ତାର ସାମ୍ନାରେ କଦଳୀ ଗଛ ଓ ଆଖୁକୁ ବ୍ୟବହାର କରି ପାରମ୍ପରିକ ଆକୃତି ପ୍ରସ୍ତୁତ କରାଯାଇଛି। ବିମାନ ବନ୍ଦରରେ ୫୦୦ କଳାକାରଙ୍କ ଦ୍ଵାରା ପାରମ୍ପରିକ ବାଦ୍ୟ ଯନ୍ତ୍ର ସାହାଯ୍ୟରେ ଜିନପିଙ୍ଗଙ୍କ ସ୍ଵାଗତ କରାଯାଇଛି । ଏହା ବ୍ୟତୀତ ଭାରତ ନାଟ୍ୟମ ଓ କଥକଲି ପରି ନୃତ୍ୟୁ ମଧ୍ୟ ପ୍ରଦର୍ଶିତ ହୋଇଛି ।

ଏହା ପୂର୍ବରୁ ପିଏମ ମୋଦୀ ଚେନ୍ନାଇ ପହଞ୍ଚିଥିଲେ ଯେଉଁଠାରେ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ଏବଂ ମୁଖ୍ୟମନ୍ତ୍ରୀ ଇ.ପଲନିସ୍ୱାମୀ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ । ଏହାପରେ ବିମାନ ବନ୍ଦରରୁ ପିଏମ ମୋଦୀ ମହାବଳିପୁରମରେ ପହଞ୍ଚିଥିଲେ । ମହାବଳିପୁରମରେ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଜିନପିଙ୍ଗଙ୍କୁ ସ୍ୱାଗତ କରିବେ । ଏସିଆର ଏହି ଦୁଇ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କ ହେବାକୁ ଥିବା ଅନୌପଚାରିକ ବୈଠକ ଉପରେ ସମସ୍ତଙ୍କ ନଜର ରହିବ । 

ବ୍ୟାପାର, ଏସିଆନ ଦେଶ ସହ ପ୍ରସ୍ତାବିତ ଫ୍ରି ଟ୍ରେଡ୍, ସୀମା ବିବାଦ ଏବଂ ୫ଜି ଭଳି ପ୍ରମୁଖ ପ୍ରସଙ୍ଗରେ ମୋଦୀ ଏବଂ ଜିନପିଙ୍ଗଙ୍କ ମଧ୍ୟରେ ହେବାକୁ ବୈଠକରେ ପ୍ରସଙ୍ଗ ହୋଇପାରେ ବୋଲି କୁହାଯାଉଛି। କାଶ୍ମୀର ପ୍ରସଙ୍ଗକୁ ବାରମ୍ବାର ଟଣା ଯାଉଥିବା ସତ୍ତ୍ଵେ ମଧ୍ୟ ଏହା ଆଭ୍ୟନ୍ତରୀଣ ମାମଲା ହୋଇଥିବା କାରଣରୁ ପିଏମ ମୋଦୀ ଏହା ବିଷୟରେ ଅନ୍ୟ ଦେଶ ସହ କୌଣସି ଚର୍ଚ୍ଚା କରିବେ ନାହିଁ ।