ଶ୍ରୀଲଙ୍କାରେ ନିର୍ମିତ ହେବ ବିଶାଳ ସୀତା ମନ୍ଦିର

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନୂଆ ପ୍ରତିଶ୍ରୃତି। ପଡୋଶୀ ଶ୍ରୀଲଙ୍କାରେ ବିଶାଳ ସୀତା ମନ୍ଦିର ନିର୍ମାଣ କରିବାକୁ ନେଇ କରିଛନ୍ତି ଘୋଷଣା। ହିନ୍ଦୁ ଧର୍ମଗ୍ରନ୍ଥ ରାମାୟଣ ବର୍ଣ୍ଣିତ ସୀତାଙ୍କ ଅଗ୍ନି ପରୀକ୍ଷାସ୍ଥଳରେ ହିଁ ହେବ ମନ୍ଦିର ପ୍ରତିଷ୍ଠା। ତତ୍କାଳୀନ ମଧ୍ୟପ୍ରଦେଶରେ କ୍ଷମତାସୀନ ଥିବା ଶିବରାଜ ସିଂ ଚୌହ୍ବାନ ନେତୃତ୍ବାଧୀନ ବିଜେପି ସରକାର ସୀତା ମନ୍ଦିର ନିର୍ମାଣ ନେଇ ପ୍ରସ୍ତାବ ରଖିଥିଲେ। ହେଲେ ଏବେ ରାଜ୍ୟରେ କ୍ଷମତାସୀନ କମଲନାଥ ସରକାର ଏହାକୁ କାର୍ଯ୍ୟକାରୀ କରିବେ।

ଏନେଇ ଚଳିତ ଆର୍ଥିକ ବର୍ଷରୁ ଏହି ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ଅନୁମୋଦନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ। ପ୍ରସ୍ତାବିତ ସୀତା ମନ୍ଦିର ସ୍ଥାନଟି ଶ୍ରୀଲଙ୍କାର କେନ୍ଦ୍ରୀୟ ପ୍ରଦେଶ ଅନ୍ତର୍ଗତ ଦିବୁରମପୋଲା ସ୍ଥିତ ଏକ ବୌଦ୍ଧପୀଠରେ ହିଁ ଚିହ୍ନଟ କରାଯାଇଛି।

ସ୍ଥାନୀୟ ଅଧିବାସୀଙ୍କ ବିଶ୍ବାସ ସେଠାରେ ହିଁ ମାଆ ସୀତା ଅଗ୍ନି ପରୀକ୍ଷା ଦେଇଥିଲେ। ସେଠାରେ ହିଁ ମାତା ସୀତାଙ୍କ ଅଙ୍ଗ ଭୂଷଣ ସବୁ ପୋତା ହୋଇ ରହିଛି। ଏଠାରେ ମନ୍ଦିର ନିର୍ମାଣ ପ୍ରସ୍ତାବକୁ ସମସ୍ତେ ସ୍ବାଗତ କରିଥିବା ଜଣାପଡିଛି।