ଆଜିଠାରୁ ସାରା ଦେଶରେ ବନ୍ଦ ହେଲାନି ପ୍ଲାଷ୍ଟିକ

ନୂଆଦିଲ୍ଲୀ : ଆଜି ଜାତିର ଜନକ ମହାତ୍ମାଗାନ୍ଧିଙ୍କ ୧୫୦ ତମ ଜୟନ୍ତୀରେ ସାରା ଦେଶରେ ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ନିଷିଦ୍ଧ କରିବା ଲାଗି କେନ୍ଦ୍ର ସରକାର କରୁଥିବା ଯୋଜନାକୁ ସାମୟିକଭାବେ ସ୍ଥଗିତ ରଖାଯାଇଛି । ଦେଶରେ ଏବେ ଅର୍ଥନୈତିକ ମାନ୍ଦାବସ୍ଥା ଚାଲୁଥିବାରୁ ହଠାତ ପ୍ଲାଷ୍ଟିକ ବନ୍ଦ କଲେ ଶିଳ୍ପଜଗତ ଉପରେ ତାହାର ଗୁରୁତର ପ୍ରଭାବ ପଡିବାର ଆଶଙ୍କା ରହିଛି ।

ଏପରି ହେଲେ ଅନେକ ଲୋକ ନିଯୁକ୍ତି ହରେଇବାର ଆଶଙ୍କା ମଧ୍ୟ ରହିଛି । ଏହି କାରଣରୁ ସରକାର ପ୍ଲାଷ୍ଟିକ ବନ୍ଦ ଅପେକ୍ଷା ପ୍ରଥମେ ଲୋକମାନଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ।

କେନ୍ଦ୍ର ପରିବେଶ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ହଠାତ ପ୍ଲାଷ୍ଟିକ ନିଷିଦ୍ଧ କରାଯିବ ନାହିଁ । ପ୍ରଥମେ ଲୋକମାନଙ୍କୁ ପ୍ଲାଷ୍ଟିକର ବିପଦ ସଂପର୍କରେ ସଚେତନ କରାଯିବ । ବର୍ତ୍ତମାନ ସମୟ ପାଇଁ ପ୍ଲାଷ୍ଟିକ ନିୟନ୍ତ୍ରଣ , ସଚେତନତା ଓ ଉତ୍ପାଦନ ବନ୍ଦ ନିମନ୍ତେ ରାଜ୍ୟ ସରକାରମାନଙ୍କୁ କୁହାଯିବ । ଅନ୍ୟପକ୍ଷରେ ଗତ ସେପ୍ଟେମ୍ବର ୧୧ରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ସ୍ୱଚ୍ଛତା ହିଁ ସେବାର ଅଭିଯାନର ଉଦ୍ଦେଶ୍ୟ ହେଉଛି ପ୍ଲାଷ୍ଟିକର କୁପ୍ରଭାବ ସଂପର୍କରେ ଲୋକମାନଙ୍କୁ ଅବଗତ କରିବା ବୋଲିସରକାରଙ୍କ ପକ୍ଷରୁ କୁହାଯାଇଛି ।