୨୨ ହଜାର ନିର୍ମାଣ ଶ୍ରମିକଙ୍କୁ ଯୋଗାଯାଇଛି ପକ୍କାଘର: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ-୨୦୨୦ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧିନରେ ପରିଚାଳିତ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ୱାରା ରାଜ୍ୟରେ ଆଜିଠାରୁ ଅର୍ଥାତ୍ ୨ ଠାରୁ ୮ପର୍ଯ୍ୟନ୍‌ତ ନିର୍ମାଣ ଶ୍ରମିକ ସେବା ସପ୍ତାହ ୨୦୨୦ ପାଳନ କରାଯାଉଛି । ଏହାର ରାଜ୍ୟସ୍ତରୀୟ ଉଦଘାଟନ ସମାରୋହକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ଟା ୩୦ ମିନିଟ୍ ରେ ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ପଡିଆରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ନିର୍ମାଣ ଶ୍ରମିକମାନଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ, ଶ୍ରମିକମାନଙ୍କର ତ୍ୟାଗ ଓ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଓଡ଼ିଶା ଆଜି ନିର୍ମାଣ ଓ ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇ ଚାଲିଛି । ଶ୍ରମିକମାନଙ୍କର ସର୍ବାଙ୍ଗୀନ ବିକାଶ ଓ ବହୁବିଧ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ଶ୍ରମିକମାନଙ୍କର ସାମାଜିକ ସୁରକ୍ଷା ଏବଂ ସେମାନଙ୍କର କଲ୍ୟାଣ ନିମନ୍ତେ ସରକାର ବହୁବିଧ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସେ ଅଣସଂଗଠିତ ଶ୍ରମିକ ହେଉ, ପ୍ରବାସୀ ଶ୍ରମିକ ହେଉ କିମ୍ବା ନିର୍ମାଣ ଶ୍ରମିକ ହେଉ । ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ୨୯ ଲକ୍ଷ ରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକ ପଞ୍ଜିକୃତ କରାଯାଇ ୧୫୧୮ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏହାଛଡା ଓଡିଶା ସରକାରଙ୍କ ନିଷ୍ଠାପର ଉଦ୍ୟମ ଫଳରେ ୨୨ହଜାର ନିର୍ମାଣ ଶ୍ରମିକଙ୍କୁ ପକ୍କାଘର ଯୋଗାଇ ଦିଆଯାଉଛି । ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣକାରୀ ଯୋଜନା ସଫଳ ରୂପାୟନ ପାଇଁ ପାଂଚ ଗୋଟି ସେବା ଯଥା-ଶିକ୍ଷା ସହାୟତା, ବିବାହ ସହାୟତା, ପ୍ରସୂତି କାଳୀନ ସହାୟତା, ମୃତ୍ୟୁ କାଳୀନ ସହାୟତା ଓ ଅନ୍ତ୍ୟେଷ୍ଟିକ୍ରିୟା ସହାୟତାକୁ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ।ଏହାଦ୍ୱାରା ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ମଜଭୁତ କରିବାସହ ଜନସାଧାରଣଙ୍କ ପ୍ରତି ପ୍ରଶାସନର ଆସ୍ଥା ଓ ପ୍ରତିଶ୍ରୁତି ବଦ୍ଧତା ବୃଦ୍ଧି ପାଇଛି । ନୂତନ ଜ୍ଞାନ କୌଶଳର ଉପଯୋଗ କରି ଶ୍ରମିକମାନଙ୍କ ପାଖରେ ସେବା ଯୋଗାଇଦେଇ ହିତାଧିକାରୀମାନଙ୍କୁ ଉପକୃତ କରିବା ରାଜ୍ୟ ସରକାରଙ୍କର ପ୍ରାଥମିକତା ।

ଏହି ସମାରୋହରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ସୁଶାନ୍ତ ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଶ୍ରମିକମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡିକର ସୁଫଳ କିପରି ସେମାନଙ୍କ ପାଖରେ ଠିକ୍ ସମୟରେ ସହଂଚି ପାରିବ ସେଥିପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ଜରିଆରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଶାସନ ସ୍ୱଚ୍ଛତା ନିମନ୍ତେ “କାର୍ଯ୍ୟକ୍ଷେତ୍ରରେ ପଞ୍ଜିକରଣ” କୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ।

ଆଜିର ଏହି ଉଦଘାଟନ ସମାରୋହରେ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମି କଲ୍ୟାଣ ବୋର୍ଡର ମାନ୍ୟବର ଅଧ୍ୟକ୍ଷ ସୁବାସ ସିଂହ ପୌରହିତ୍ୟ କରିଥିଲେ ।ତାଙ୍କର ସଭାପତିତ୍ୱ ଭାଷଣରେ ଶ୍ରୀ ସିଂହ କହିଥିଲେ ଯେ, ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଆଜି ସଫଳତାର ଶୀର୍ଷରେ ପହଂଚିଛି । ୨୯ଲକ୍ଷରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କରାଯାଇ ପ୍ରାୟତଃ ଏକ କୋର୍ଟ ଲୋକଙ୍କୁ ସାମାଜିକ ସୁରକ୍ଷା ବଳୟ ଭିତରକୁ ଅଣାଯାଇପାରିଛି । ଜାତିସଂଘର ପ୍ରମୁଖ ଅନୁଷ୍ଠାନ ଆନ୍ତର୍ଜାତିକ ଶ୍ରମ ସଂଗଠନ(ଆଇଏଲଓ)ର ସହଯୋଗ ତଥା ସହଭାଗିତାରେ ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଛି । ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଇତିମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୫୦୦କୋଟି ଟଙ୍କାର ଏକ ରାଜ୍ୟସ୍ତରୀୟ କର୍ପସ ପାଣ୍ଠି ଗଠନକରି ସ୍ୱତନ୍ତ୍ର ପ୍ୟାକେଜ୍ ମାଧ୍ୟମରେ ୪ଗୋଟି ପ୍ରମୁଖ ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲାର ୨୦ଟି ବ୍ଲକରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅତିରିକ୍ତ ୧୦୦ଦିନର କାର୍ଯ୍ୟ ସହିତ ଦୈନିକ ମଜୁରୀ ହାରକୁ ୧୮୮ ଟଙ୍କାରୁ ୨୮୬.୩୦ ପଇସାକୁ ବଢ଼ାଇ ଦେଇଛନ୍ତି । ଏହାଛଡା ଉକ୍ତ ବ୍ଲକର ସମସ୍ତ ପଂଚାୟତରେ ଥିବା ପ୍ରତ୍ୟେକ ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠିରେ ସାମିଲ କରିବା ସହ ଯୋଗ୍ୟ ପ୍ରବାସୀ ନିର୍ମାଣ ଶ୍ରମିକଙ୍କୁ କଲ୍ୟାଣ ବୋର୍ଡରେ ପଞ୍ଜିକରଣ କରାଯାଇ ସେମାନଙ୍କୁ ବୋର୍ଡ ମାଧ୍ୟମରେ ଅଗ୍ରାଧିକାର ଭିତିରେ ବିଭିନ୍ନ ସହାୟତା ପ୍ରଦାନର ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ସିଂହ କହିଛନ୍ତି ।

ଏହି ସମାରୋହରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ମୋନା ଶର୍ମା ଅତିଥିମାନଙ୍କର ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୬ ହଜାରରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକଙ୍କ ସଂଗଠନର ବହୁ ପ୍ରମୁଖ ନେତା ଓ ଉଚ୍ଚ ସରକାରୀ ପଦାଧିକାରୀ ଯୋଗ ଦେଇଥିଲେ । ବିଭିନ୍ନ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ଆର୍ଥିକ ସହ୍ରାତା ପ୍ରଦାନ କରିଥିଲେ । ସର୍ବଶେଷରେ ଶ୍ରମ ଆୟୁକ୍ତ ତଥା କଲ୍ୟାଣ ବୋର୍ଡର ସଦସ୍ୟ ସଚିବ ଡ.ଏନ.ଥିରୁମାଲା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।