ମ୍ୟାଲେରିଆ ନୋ ମୋର : ଜାପାନ ପ୍ରତିନିଧିଙ୍କ ସ୍ୱାସ୍ଥ୍ୟ ସଚିବଙ୍କ ସହ ସାକ୍ଷାତ ଆଲୋଚନା

ଭୁବନେଶ୍ୱର :  ଓଡିଶାର ସଫଳ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଆଜି ବୁଲି ଦେଖିଛନ୍ତି ଜାପାନର ଦୁଇ ଜଣିଆ ପ୍ରତିନିଧିଦଳ । ମ୍ୟାଲେରିଆ ନୋ ମୋର ର ଜାପାନ ପ୍ରତିନିଧି ଖୋରଧା ଓ ରାଜଧାନୀ ଉପକଣ୍ଠସ୍ଥିତ ମେଣ୍ଢାଶାଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳ ପରିଦର୍ଶନ ପରେ ରାଜ୍ୟ ସ୍ୱାସ୍ଥ୍ୟ ଓ
ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ସହିତ ସଚିବାଳୟ ଠାରେ ଏ ନେଇ ଆଲୋଚନା କରିଛନ୍ତି । ଜାପାନର ଦୁଇ ପ୍ରତିନିଧି ୟୁମିକୋ ଲିଜୁକା ଓ ମିକି ନାଗାସୀମା ଆଲୋଚନା ସମୟରେ ମ୍ୟାଲେରିଆ ନିୟନ୍ତ୍ରଣ ଲାଗି
ଓଡିଶା ସରକାର ଆପଣେଇଥିବା କାର୍ଯ୍ୟକ୍ରମ ସଂକ୍ରାନ୍ତରେ ପଚାରି ବୁଝିଥିଲେ । ଏଥି ସହିତ ୨୦୩୦ ସୁଦ୍ଧା ମ୍ୟାଲେରିଆ ବିଲୋପ ପାଇଁ ଚାଲିଥିବା କାର୍ଯ୍ୟକ୍ରମରେ ଜାପାନ ପକ୍ଷରୁ ସମସ୍ତ ସହାୟତା ଲାଗି ସେମାନେ ଇଚ୍ଛୁକ ଥିବା କହିଥିଲେ । ସ୍ୱାସ୍ଥ୍ୟ ସଚିବ ଡାକ୍ତର ମେହେର୍ଦ୍ଦା ଜାପାନ ପ୍ରତିନିଧିମାନଙ୍କୁ ସାମଗ୍ରିକ ଭାବେ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଥିବା ଚ୍ୟାଲେଞ୍ଜ ଗୁଡିକ ସଂକ୍ରାନ୍ତରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ ।

ରାଜ୍ୟ ସରକାରଙ୍କ ସଫଳ କାର୍ଯ୍ୟକ୍ରମ ଯୋଗୁଁ ରାଜ୍ୟରେ ମ୍ୟାଲେରିଆ ୮୦ ପ୍ରତିଶତରୁ ଅଧିକ ହ୍ରାସ ପାଇଥିବାବେଳେ ଏହି ଧାରା କିଭଳି ବଜାୟ ରହିବ ସେଥି ।ଇଁ ଆମକୁ ପ୍ରାୟ ୧୫ ନିୟୁତ ଔଷଧୀୟ ମଶାରୀର ଆବଶ୍ୟକତା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରରେ ମାଇକ୍ରୋସ୍କୋପିକ୍‍ ରକ୍ତ ନମୂନା ପରୀକ୍ଷା, ସ୍ଥାନୀୟ ଭିତ୍ତିରେ ଲୋକଙ୍କୁ ସଚେତନ କରିବା ଆଦି ଜରୁରୀ ଥିବାବେଳେ ସହଯୋଗୀ ସଂସ୍ଥାମାନେ ନିଜ ନିଜ ସ୍ତରରେ ଏଥି ।ଇଁ ଉଦ୍ୟମ କରିବାକୁ ଡାକ୍ତର ମେହେର୍ଦ୍ଦା କହିଥିଲେ । ଉଲ୍ଲେଖନୀୟ ଯେ ରାଜ୍ୟ ସରକାରଙ୍କ ସଫଳ ମ୍ୟାଲେରିଆ ନିରାକାଣ କାର୍ଯ୍ୟକ୍ରମ ଯୋଗୁଁ ସମଗ୍ର ରାଜ୍ୟରେ ମ୍ୟାଲେରିଆର ପ୍ରକୋପ ୮୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଓଡିଶାର ଏଭଳି କାର୍ଯ୍ୟକୁ ପ୍ରଶଂସା କରାଯିବା ସହିତ ଏହି ମଡେଲକୁ ଆପଣେଇବାପାଇଁ ବିଶ୍ୱର ଅନ୍ୟ ମ୍ୟାଲେରିଆ ପ୍ରବଣ ଦେଶ ଗୁଡିକୁ ପରାମର୍ଶ ଦିଆଯାଇଛି । ଏପରିକି ବିଶ୍ୱ ମ୍ୟାଲେରିଆ ରିପୋର୍ଟ- ୨୦୧୮ ରେ ମଧ୍ୟ ଓଡିଶାର ସଫଳ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସ୍ଥାନ ପାଇଛି । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମର ସଫଳତା ପଛରେ ଏକ କୋଟି ୧୩ ଲକ୍ଷ ଔଷଧୀୟ ମଶାରୀ ବଣ୍ଟନ ସହିତ ନିଜସ୍ୱ କାର୍ଯ୍ୟକ୍ରମ ‘ଦମନ’ ରହିଛି । ବର୍ତ୍ତମାନ ଆବଶ୍ୟକ ପଡୁଥିବା ଆହୁରି ୪୦ଲକ୍ଷ ଔଷଧୀୟ ମଶାରୀ ଯୋଗାଇ ଦେବାପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ନିକଟରେ ଆମେରିକାର ମ୍ୟାଲେରିଆ ନୋ ମୋର ସଂସ୍ଥା ସହିତ ରାଜ୍ୟ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ।

ଉକ୍ତ ସଂସ୍ଥା ଭୁବନେଶ୍ୱରରେ ତାହାର କାର୍ଯ୍ୟାଳୟ ଖୋଲିବା ସହିତ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ସହାୟତା ପାଇଁ ରୋଡ୍‍ମ୍ୟାପ୍‍ ପ୍ରସ୍ତୁତ କରିଥିବା ଜଣାପଡିଛି । ଜାପାନ ପ୍ରତିନିଧିଙ୍କ ସହିତ ଆଜିର ସାକ୍ଷାତ ଆଲୋଚନା କାଳରେ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ବି.କେ.ବ୍ରହ୍ମା,
ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ହର ପ୍ରସାଦ ପଟ୍ଟନାୟକ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର କର, ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ନୀଲମ ସୋମାଲକର, ମ୍ୟାଲେରିଆ ନୋ ମୋର ର ଭାରତୀୟ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।