ପ୍ରତି ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ସହାୟତା

ଭୁବନେଶ୍ୱର : ଗଜପତି ଜିଲ୍ଲା ବାରଘରରେ ପାହାଡ଼ ଧସି ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ମିଳବ । ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପାହାଡ଼ ଧସିବା ପୂର୍ବ ଦିନ ସରକାରୀ ଅଧିକାରୀମାନେ ସେଠାରେ ବାସ କରୁଥିବା ୬୮ ପରିବାରକୁ ସ୍ଥାନାନ୍ତର କରିଥିଲେ । ମାତ୍ର ୭ଟି ପରିବାର ସ୍ଥାନାନ୍ତର ପାଇଁ ରାଜି ହୋଇନଥିଲେ । ଯାହା ଫଳରେ ସେହି ପରିବାରର ସଦସ୍ୟଙ୍କର ମୃତ୍ୟୁ ହୋଇଛି । ବର୍ଷା କମିବା ଫଳରେ ବନ୍ୟା ପ୍ରଭାବିତ ଗଞ୍ଜାମ ଜିଲ୍ଲାର ସ୍ଥିତିରେ ସୁଧାର ଆସିଛି । କେତେକ ଅଞ୍ଚଳକୁ ବିଦ୍ୟୁତ ସଂଯୋଗୀକରଣ କାମ କରାଗଲାଣି । ଗଜପତି ଜିଲ୍ଲା ସଦର ମହକୁମାକୁ ଯୋଗାଯୋଗ ସମ୍ଭବ ହୋଇଛି । ବିଶେଷକରି ମୋହନା-ଆର ଉଦୟଗିରି, ମୋହନା-ଖଜୁରିପଦା, ଗାଡ଼ାବନ୍ଧରୁ ଅରାସିଂହ ଭାୟା କିଚଲିନ ଇତ୍ୟାଦି ରାସ୍ତାରେ ପଡ଼ିଥିବା ଗଛଗୁଡ଼ିକ କାଟି ବାହାର କରାଯାଇଛି । ବର୍ତ୍ତମାନ ଏହିସବୁ ରାସ୍ତା ଦେଇ ଯୋଗାଯୋଗ ସମ୍ଭବ ହୋଇପାରିଛି । ବାତ୍ୟା ଆଶ୍ରୟସ୍ଥଳରୁ ଧୀରେ ଧୀରେ ଲୋକେ ଘରକୁ ଫେରିଲେଣି । ତେଣୁ ବାତ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୫ ଦିନର ରିଲିଫକୁ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବାର ଦାୟିତ୍ୱ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି । ସୂଚନାଯୋଗ୍ୟ ଯେ ବାରଘରରେ ପାହଡ଼ ଧସିପଡ଼ିବା କାରଣରୁ ମତକଙ୍କ ସଂଖ୍ୟା ଇତିମଧ୍ୟରେ ୧୫କୁ ବୃଦ୍ଧି ପାଇଛି । ଆଜି ୨ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ଗତକାଲି ସୁଦ୍ଧା ୧୩ ଜଣଙ୍କ ଶବ ମିଳିଥିଲା । ବର୍ତ୍ତମାନ ସୁଦ୍ଧା ଆହୁରି ଜଣେ ଲୋକର ସନ୍ଧାନ ମିଳିନାହିଁ । ମୃତଦେହ ଗୁଡ଼ିକ ବିଛୁରିତ ଭାବେ ମାଟିତଳେ ପୋତି ହୋଇ ରହିଛି । ବାତ୍ୟା ସଂପର୍କରେ ସୂଚନା ପାଇ ନଥିବାରୁ ଗ୍ରାମବାସୀମାନେ ଅନ୍ୟତ୍ର ଯାଇପାରିଲେ ନାହିଁ ବୋଲି କହୁଛନ୍ତି । ତେଣୁ ଗ୍ରାମବାସୀ ଓ ପ୍ରଶାସନର କଥାରେ ଏଯାଏଁ ମେଳ ଖାଉନାହିଁ ।