ପେଟ୍ରୋଲ୍‌ ଓ ଡିଜେଲ୍‌ ଗାଡ଼ି ଉପରେ ଲାଗିବନି କଟକଣା: ଗଡ଼କରୀ

ନୂଆଦିଲ୍ଲୀ:ଦେଶରେ ଏବେ ନୂତନ ଟ୍ରାଫିକ୍‌ ନିୟମ ଆସିଛି । ତୀଳେ ମାତ୍ର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବଡ଼ ଆକାରରେ ଜୋରିମାନା ପୈଠ କରିବାକୁ ପଡ଼ିବ । ଏହାକୁ ଏବେ ସାରା ଦେଶରେ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ଏଥିପାଇଁ ବିଭିନ୍ନ ଆଲୋଚନା ଓ ସମାଲୋଚନା ମଧ୍ୟ ହେଉଛି । ତେବେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‌ ଗାଡ଼ି ଉପରେ କୌଣସି ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁ ନଥିବା କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସ୍ପଷ୍ଟ କରିଛନ୍ତି । 

ସରକାର ପେଟ୍ରୋଲ୍‌ ଓ ଡିଜେଲ୍‌ ଗାଡ଼ି ଉପରେ ମଧ୍ୟ କଟକଣା ଲାଗୁ କରିବେ ବୋଲି ଆଲୋଚନା ହେଉଛି । ଏହି ଖବରକୁ ଖଣ୍ଡନ କରିଛନ୍ତି ଗଡ଼କରୀ । ସେ କହିଛନ୍ତି ଯେ ସରକାର ପେଟ୍ରୋଲ ଓ ଡିଜେଲ୍‌ ଗାଡ଼ି ଉପରେ କୌଣସି ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁ ନାହାଁନ୍ତି । ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଭାରୀମାତ୍ରାରେ ଜୋରିମାନା ଦେବା ଉପରେ ସେ କହିଛନ୍ତି ଯେ ସରକାର ଜୋରିମାନା ରାଶି ବଢ଼ାଇବାକୁ ଇଚ୍ଛା କରୁ ନାହାଁନ୍ତି । କାହାକୁ କୌଣସି ଦଣ୍ଡ ନ ମିଳୁ ଏବଂ ସମସ୍ତେ ନିୟମ ପାଳନ କରନ୍ତୁ ଯେ ଏଭଳି ସମୟ ଆସିବା ଆବଶ୍ୟକ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।