କେନ୍ଦ୍ରମନ୍ତ୍ରୀ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ: ୧୦ଟଙ୍କାରେ ମାସ୍କ, ୧୦୦ ଟଙ୍କାରେ ମିଳିବ ସାନିଟାଇଜର

ନୂଆଦିଲ୍ଲୀ: କୋରୋନା ମୁକାବିଲା ଅନେକ ସ୍ଥାନରେ ଚଢ଼ା ଦରରେ ମିଳୁଛି ମାସ୍କ ଓ ସାନିଟାଇଜର । ତେବେ ଏସବୁ ସାମଗ୍ରୀ ଆବଶ୍ୟକ ଥିବାରୁ ଅଧିକ ଦରରେ କିଣିବାକୁ ଲୋକେ ବାଧ୍ୟ ହେଉଛନ୍ତି । ତେଣୁ ଲୋକଙ୍କ ଆବଶ୍ୟକତା ଆଉ କଳାବଜାରୀକୁ ଆଖି ଆଗରେ ରଖି କେନ୍ଦ୍ର ଯୋଗାଣ ମନ୍ତ୍ରୀ କଡା ନିଷ୍ପତି ନେଇଛନ୍ତି ।

କେନ୍ଦ୍ର ଯୋଗାଣ ମନ୍ତ୍ରୀ ରାମବିଲାସ ପାଶ୍ୱାନ ବ୍ୟବସାୟୀଙ୍କୁ  କଡା ତାଗିଦ କରିଛନ୍ତି କି, ୨୦୦ ମିଲିଲିଟର ହ୍ୟାଣ୍ଡ ସାନିଟାଇଜରର ଦାମ ୧୦୦ ଟଙ୍କାରୁ ଅଧିକ ହେବ ନାହିଁ । ସେହିପରି ୨ ଲେୟାର ବିଶିଷ୍ଟ ମାସ୍କର ଦାମ ୮ ଟଙ୍କା ଓ ୩ ଲେୟାର ବିଶିଷ୍ଟ ମାସ୍କର ଦାମ ୧୦ ଟଙ୍କା ରଖିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି ।

କରୋନାକୁ ନେଇ ଲୋକେ ମାସ୍କ ଓ ସାନିଟାଇଜର କିଣୁଥିବାରୁ ଏଗୁଡିକର ବଜାର ଦର ଅହେତୁକ ଭାବେ ବଢିଯାଇଛି । ଲୋକଙ୍କ ଚାହିଦାକୁ ଦେଖି କଳାବଜାରୀ ଆରମ୍ଭ କରିଦେଇଛନ୍ତି କିଛି ଅସାଧୁ ବ୍ୟବସାୟୀ । ଏହାକୁ ନଜରରେ ରଖି କଡା ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର ଖାଉଟି ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ । ଟ୍ୱିଟ କରି ଏ ନେଇ ସୂଚନା ଦେଇଛନ୍ତି ରାମବିଲାସ୍ ପାଶ୍ୱାନ ।

ସେହିପରି ମାସ୍କ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା କପଡାର ଦାମ, ୧୨ ଫେବୃଆରି ପୂର୍ବରୁ ଯାହା ଥିଲା ତାକୁ ଅପରିବର୍ତିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏକାଧିକ ଟ୍ୱିଟ କରି ଏହି ନିର୍ଦ୍ଦେଶନାମା ଜୁନ୍ ୩୦ ଯାଏଁ ବଳବତ୍ତର ରହିବ ବୋଲି ସ୍ପଷ୍ଟ କରିଛନ୍ତି ରାମବିଲାସ ପାଶ୍ୱାନ ।