ଆଜିଠୁ ସର୍ତମୂଳକ ଭାବେ ଖୋଲିବ ଦୋକାନ ବଜାର

ନୂଆଦିଲ୍ଲୀ: ମହାମାରୀ କୋରୋନା ସହ ଲଢେଇ କରୁଛି ଦେଶ । ଏଥିରୁ କିଛି ରାଜ୍ୟ ଆଶ୍ୱସ୍ତି ମିଳିଛି ସତ, ଅନ୍ୟ କେତେକ ରାଜ୍ୟରେ ସ୍ଥିତି ଚିନ୍ତାଜନକ ରହିଛି । ଏଭଳି ପରିସ୍ଥିତି ଦେଶର ଆର୍ଥିକ ସ୍ଥିତି ଓ ଲୋକଙ୍କ ଆବଶ୍ୟକତା ନଜରରେ ରଖି ଆଜି ଠାରୁ କେତେକ ବ୍ୟବସାୟୀକ ପ୍ରତିଷ୍ଠାନ ଓ ଦୋକାନ ସର୍ତ ମୁତାବକ ଖୋଲିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ସେହିପରି କେବଳ ଦୋକାନ ଓ ପ୍ରତିଷ୍ଠାନ ଆଇନ ପଞ୍ଜୀକରଣ କରିଥିବା ଦୋକାନ ଗୁଡିକ ଖୋଲିବ ।

ଶୁକ୍ରବାର କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଏକ ଆଦେଶ ଜାରି କରିଛନ୍ତି । ଲୋକଙ୍କ ଆବଶ୍ୟକତା ଦୃଷ୍ଟିରେ ରଖି ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ସର୍ତ ମୁତାବକ ଦୋକାନରେ କେବଳ ୫୦ ପ୍ରତିଶତ କର୍ମଚାରୀ କାମ କରିପାରିବେ । ଏହା ସହ ସାମାଜିକ ଦୂରତ୍ୱ ମଧ୍ୟ ମାନି ଚଳିବାକୁ ପଡିବ। ତେବେ ସପିଂ ମଲ କିମ୍ବା କମ୍ପ୍ଲେକ୍ସ ଖୋଲିବାକୁ ଅନୁମତି ମିଳିନାହିଁ । ଏହି ନିୟମ କଂଟେନମେଂଟ ଜୋନରେ ଲାଗୁ ହେବ ନାହିଁ । ଏହା ସହ ସେଲୁନ ଓ ପାର୍ଲର ମଧ୍ୟ ଖୋଲାଯିବ । କିନ୍ତୁ ସହରାଂଚଳର ବଡ ବଡ ମାର୍କେଟ ଖୋଲିବ ନାହିଁ । ଏହା ସହ କୌଣସି ମଦ ଦୋକାନ ଖୋଲିବାକୁ ମଧ୍ୟ ଅନୁମତି ମିଳିନାହିଁ ।

ବର୍ତମାନ ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୩ ହଜାର ପାର କରିସାରିଲାଣି । ଶୁକ୍ରବାର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଅନୁସାରେ ଭାରତରେ ୨୩ ହଜାର ୪୫୨ କୋରୋନା ମାମଲା ରହିଛି । ଗତ ୨୪ ଘଂଟାରେ ୧୭୫୨ ନୂଆ ମାମଲା ସାମ୍ନାକୁ ଆସିବା ସହ ୩୭ ଜଣଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୪ରୁ ଦେଶବ୍ୟାପୀ ଲକଡାଉନ ଘୋଷଣା ହେବା ପର ଠାରୁ ସବୁ ଛୋଟ ବଡ ଦୋକାନ ବନ୍ଦ ରହିଥିଲା । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ତେଜରାତି ଓ ଔଷଧ ଦୋକାନ ଖୋଲାଯାଉଥିଲା ।