କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନ୍ଖଡ଼ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଲାଗି ରହିଥିବା ତିକ୍ତତା ଏବେ ପୁଣି ଥରେ ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଧନଖଡ଼ ମୁର୍ଶିଦାବାଦ୍ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ମମତା ସରକାରଙ୍କଠାରୁ ହେଲିକପ୍ଟର ଚାହିଥିଲେ। ଏନେଇ ରାଜ୍ୟ ସରକାରଙ୍କୁ ଆଗୁଆ ଅନୁରୋଧ କରାଯାଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କଠାରୁ ଏ ସଂକ୍ରାନ୍ତରେ କୌଣସି ଉତ୍ତର ନ ମିଳିବାରୁ ଧନଖଡ଼ କୋଲକାତାରୁ ମୁର୍ଶିଦାବାଦ୍ ପର୍ଯ୍ୟନ୍ତ ୬୦୦ କିମି ରାସ୍ତା ସଡ଼କ ପଥରେ ଯାଇ ଫେରିଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ ମଧ୍ୟ ହେଲିକପ୍ଟର ସଂକ୍ରାନ୍ତରେ ଅବଗତ କରାଯାଇଥିଲେ ମଧ୍ୟ ତାଙ୍କଠାରୁ କିଛି ଉତ୍ତର ମିଳିନାହିଁ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଟିଏମ୍ସି ପକ୍ଷରୁ ରାଜ୍ୟପାଳଙ୍କ ଗସ୍ତ ପାଇଁ ହେଲିକପ୍ଟରର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠାଯାଇଛି। ଏହା କେବଳ ସରକାରୀ ଅର୍ଥର ଅପବ୍ୟବହାର ବୋଲି ଟିଏମ୍ସି ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଧନଖଡ଼ ଆଜି ପ୍ରଫେସର ସୟଦ ନୁରୁଲ୍ ହାସନ କଲେଜ୍ର ସିଲ୍ଭର ଜୁବ୍ଲି ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।