ଶ୍ରୀନଗରରେ ପ୍ରଚଳନ ହେବ ଟେଲିମେଡିସିନ୍‌ ସେବା

ଶ୍ରୀନଗର: ଶ୍ରୀନଗରେ ଟେଲିମେଡିସିନ୍‌ ସେବା ପ୍ରଚଳନ କରିବାକୁ ସମ୍ପୃକ୍ତ ସେବା ପ୍ରଦାନକାରୀ ଏଜେନ୍‌ସିଙ୍କ ସହ ଆଲୋଚନା ଚାଲିଥିବା କଥା ଶନିବାର ଦିନ ଜମ୍ମୁ ଓ କଶ୍ମୀର ପ୍ରଶାସନ କହିଛି। ଟେଲିମେଡିସିନ୍‌ ସେବା ପ୍ରଚଳନ ଶ୍ରୀନଗର ସ୍ମାର୍ଟ ସିଟି ପ୍ରୋଜେକ୍ଟ୍‌ର ଅଂଶ ବିଶେଷ ବୋଲି ଜମ୍ମୁ ଓ କଶ୍ମୀର ପ୍ରଶାସନ ସୂଚନା ଦେଇଛି।

ପ୍ରସ୍ତାବିତ ସେବା ଅଧୀନରେ ସରକାର ସମସ୍ତ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକୁ ପରସ୍ପର ସହ ସଂଯୋଗ କରିବାକୁ ଉଦ୍ୟମ କରୁଛନ୍ତି। ବିଶ୍ୱସ୍ତ ଏବଂ ଅହର୍ନିଶ ସାଟେଲାଇଟ୍‌ଭିତ୍ତିକ ନେଟ୍‌ଓ୍ଵାର୍କ ଚାନେଲ୍‌ ଜରିଆରେ ଏହା କରାଯିବ। ଏହାଦ୍ୱାରା ଦୂରଦୂରାନ୍ତରରେ ଥିବା ରୋଗୀମାନଙ୍କର ନିଦାନ ଓ ତତ୍ତ୍ୱାବଧାନ ଭଳି ଡାକ୍ତରୀ ସେବା ଯୋଗାଇ ହେବ।

ଏହି ପ୍ରକଳ୍ପ ଦ୍ୱାରା ବର୍ତ୍ତମାନ ଶେର୍‌-ଇ-କଶ୍ମୀର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଏବଂ ଶ୍ରୀନଗରରେ ଥିବା ଗଭର୍ଣ୍ଣମେଣ୍ଟ୍‌ ମେଡିକାଲ୍‌ କଲେଜରେ ଉପଲବ୍ଧ ସୁବିଧାର ଉନ୍ନତିକରଣ କରାଯିବ ବୋଲି ପ୍ରଶାସନ କହିଛି। ପରେ ପରେ ଜିଲ୍ଲାରେ ଥିବା ଅନ୍ୟ ସମସ୍ତ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ଉନ୍ନତ କରାଯାଇ ସମସ୍ତଙ୍କୁ ଏକତ୍ର ସଂଯୋଗ କରାଯିବ।