ଆଜିଠାରୁ ଦୁଇ ଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ୧୫ ଦେଶର ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରଦୂତ କେନେଥ ଜଷ୍ଟରଙ୍କ ସମେତ ୧୫ଟି ଦେଶର ରାଷ୍ଟ୍ରଦୂତ ଆଜି ଠାରୁ ଦୁଇ ଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ରହିବେ । ଗତ ବର୍ଷ ଧାରା ୩୭୦ ଉଚ୍ଛେଦ ପରେ କୌଣସି ବିଦେଶୀ ରାଷ୍ଟ୍ରଦୂତଙ୍କ ଏହା ପ୍ରଥମ ଗସ୍ତ ରହିବ । ସମସ୍ତ ରାଜଦୂତଙ୍କୁ ସରକାର ଘାଟି ପରିଦର୍ଶନ କରାଇବେ ।

ରାଜଧାନୀ ଦିଲ୍ଲୀରୁ ଗୁରୁବାର ଆକାଶମାର୍ଗ ଦେଇ ଶ୍ରୀନଗର ପହଂଚିବେ ୧୫ ଜଣିଆ ରାଷ୍ଟ୍ରଦୂତ ଦଳ । ସେଠାରେ ରାତ୍ରୀଯାପନ କରିବା ସୂଚୀବଦ୍ଧ ରହିଛି । ଏହାପରେ ଶୁକ୍ରବାର ଜମ୍ମୁ ଗସ୍ତ କରିବେ ସମସ୍ତ ୧୫ ରାଷ୍ଟ୍ରଦୂତ । ରାଷ୍ଟ୍ରଦୂତ କେନ୍ଦ୍ର ଶାସିତ ଅଂଚଳ ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ବିଷୟରେ ପଚାରି ବୁଝିବେ । ଏହି ପ୍ରତିନିଧି ଦଳରେ ମୁଖ୍ୟତଃ ଲାଟିନ ଆମେରିକା ଓ ଆଫ୍ରିକା ଦେଶମାନଙ୍କର ସାଂସଦ ପ୍ରତିନିଧି ସାମିଲ ଅଛନ୍ତି । ଘାଟିରେ ସୁରକ୍ଷା ସ୍ଥିତି ସମାନ୍ୟ ଥିବା ନେଇ ସମସ୍ତ ରାଷ୍ଟ୍ରଦୂତଙ୍କୁ ଅବଗତ ନିମନ୍ତେ ସରକାର ଘାଟି ପରଦର୍ଶନ କରାଇବେ ।

ଏହି ଗସ୍ତ ସମୟରେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଓ ସିଭିଲ ସୋସାଇଟର ସଦସ୍ୟଙ୍କ ସହ ସମସ୍ତ ୧୫ ସଦସ୍ୟ ସାକ୍ଷାତ କରିବେ । ଆମେରିକା ବ୍ୟତୀତ ବାଲାଂଦେଶ, ଭିଏତନାମ, ନରୱେ, ମାଳଦ୍ବୀପ, ଦକ୍ଷିଣ କୋରିଆ, ମରକ୍କୋ, ନାଇଜେରିଆ ଓ ଅନ୍ୟ କେତେକ ଦେଶର ରାଷ୍ଟ୍ରଦୂତ ମାନେ ସାମିଲ ରହିଛନ୍ତି । ବ୍ରାଜିଲ ରାଷ୍ଟ୍ରଦୂତଙ୍କୁ ଏହି ଗସ୍ତରେ ସାମିଲ ହେବାର ରହିଥିଲା ମାତ୍ର କାର‌୍ୟ୍ୟବ୍ୟସ୍ତତା କାରଣରୁ ସେ ଏହି ଗସ୍ତରେ ସାମିଲ ହୋଇପାରିନାହାଁନ୍ତି ।

ଏହା ବ୍ୟତୀତ ୟୁରୋପିୟନ ୟୁନିୟନର ଦେଶ ଗୁଡ଼ିକ ମଧ୍ୟ ନିଜ ଗସ୍ତର ସୂଚନା ଦେଇଛନ୍ତି। ସେମାନେ ଏହି ଗସ୍ତକାଳରେ ଅଟକ ଥିବା ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଉମର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କୁ ମଧ୍ୟ ଭେଟିବା ନେଇ ଜୋର ଦେଇଛନ୍ତି । ଏହାକୁ ନେଇ ସରକାର ବିଚାର କରୁଥିବା ଜଣାଯାଇଛି ।ଏହାପୂର୍ବରୁ ୟୁରୋପୀୟ ସଂଘର ୨୩ ସାଂସଦ ଜମ୍ମୁ-କାଶ୍ମୀର ଗସ୍ତ କରିଥିଲେ । ପରବର୍ତ୍ତୀ ସମୟରେ ଏହାକୁ ନେଇ ରାଜନୀତି ଜୋରଦାର ହୋଇଥିଲା ।