ରାଜ୍ୟର ୬ଟି ସହରରେ ସୁନା ଦୋକାନ ଉପରେ ଚଢ଼ଉ

ଭୁବନେଶ୍ବର: ଶନିବାର ରାଜ୍ୟର ୬ଟି ସହରରେ ୪୫ଟି ସୁନା ଦୋକାନ ଉପରେ ଚଢାଉ ହୋଇଛି  । ଚଢ଼ାଉ ସମୟରେ  ୩ ଲକ୍ଷ ୭୭ ହଜାର ଟଙ୍କାର ଜରିମାନା ଆଦାୟ ହୋଇଛି । ଏହି  କ୍ରମରେ ରାଜଧାନୀ ଭୁବନେଶ୍ୱରର ୧୦ଟି ପ୍ରତିଷ୍ଠିତ ସୁନା ଅଳଙ୍କାର ଦୋକାନରେ ମଧ୍ୟ ଓଜନ ଓ ମାପ ବିଭାଗ ପକ୍ଷରୁ ଚଢଉ କରାଯାଇଛି । ଏହି ୧୦ଟି ଦୋକାନ ମଧ୍ୟରୁ ୮ଟିରେ ଓଜନ ମାପ  ନିୟମ ପାଳନରେ ତ୍ରୁଟି ପରିଲକ୍ଷିତ ହୋଇଥିବା ଜଣାପଡିଛି । ଏହି ବାବଦରେ ୨୭ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡିଛି ।

ବୈଧ ମାପରେ ତ୍ରୁଟି ପାଇଁ ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳର ତାନିସ୍କ, ରିଲାଏନ୍ସ, ମାଷ୍ଟରକ୍ୟାଣ୍ଟିନସ୍ଥିତ ସେନକୋ ଗୋଲ୍ଡ ଟେକ୍ , କଟକର ଇପାରୀ ଗୋବିନ୍ଦ ଆଣ୍ଡ ସନ୍ସ, ଜ୍ୟୋସ୍ନା ଅଳଙ୍କାର ଭଣ୍ଡାର, ଅନୀତା ଜୁଏଲର୍ସ ସମେତ ୨୭ଟି ସୁନାଗହଣା ଦୋକାନରୁ ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି । ସମ୍ବଲପୁରର ନିଉ ପାୟଲ ଜୁଏଲର୍ସ ଏବଂ ବ୍ରହ୍ମପୁରର କେଶବ ଜୁଏଲର୍ସକୁ କମ୍ପାଉଣ୍ଡିଂ ନୋଟିସ ଜାରି ହୋଇଛି । ଭୁବନେଶ୍ୱରର ୧୦ଟି,  ବ୍ରହ୍ମପୁର ଓ କଟକରେ ୮ଟି ଲେଖାଏଁ ଓ  ରାଉରକେଲାରେ ୪ଟି ଦୋକାନରେ ଚଢଉ ହୋଇଛି ।