ସରକାରୀ କ୍ୱାର୍ଟର୍ସରେ ବନ୍ଧୁକ କାରଖାନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ  ଓୟୁଏଟିର ଜନୈକ କର୍ମଚାରୀଙ୍କ ସରକାରୀ ବାସଭବନରୁ ଏକ  ବନ୍ଧୁକ କାରଖାନା ପୁଲିସ ଠାବ କରିଥିବା ସୋମବାର ଖବର ମିଳିଛି। ଓୟୁଏଟି କଲୋନିର ଏକ  ସରକାରୀ ବାସଭବନରୁ ଠାବ ହୋଇଥିବା ବନ୍ଧୁକ କାରଖାନାରୁ ୩ଟି ଅର୍ଦ୍ଧନିର୍ମିତ ବନ୍ଧୁକ ସହ ବହୁ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିବା ସହ ଅଭିଯୁକ୍ତ ନୃସିଂହ ନାୟକଙ୍କୁ ଖଣ୍ଡଗିରି ପୁଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଗତ ରବିବାର ଏହି  ଓୟୁଏଟି କର୍ମଚାରୀଙ୍କ ସରକାରୀ ବାସଭବନ ଭିତରୁ ଜୋର୍‌ରେ ଶବ୍ଦ ହୋଇଥିଲା। ଏଥି ସହିତ ଘର ଭିତରୁ ଧୂଆଁ ବାହାରିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତେବେ ଘରେ ଭିତରେ ନିଆଁ ଲାଗିଥିବା ସନ୍ଦେହ କରି ଏହି ଘଟଣା ସମ୍ପର୍କରେ ଖଣ୍ଡଗିର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା। ଏହି ଯାଞ୍ଚ ସମୟରେ ଓୟୁଏଟି କର୍ମଚାରୀଙ୍କ ଘରୁ ପୁଲିସ ବିପୁଳ ପରିମାଣର ଗୁଳି, ବାରୁଦ ଓ ବୋମା ପୁଲିସ ଜବତ କରିବା ସହିତ ୩ଟି ଅର୍ଦ୍ଧନିର୍ମିତ ବନ୍ଧୁକ ବି ଠାବ କରିଥିବା ଜଣାପଡ଼ିଛି।