କୃଷି ଉତ୍ପାଦନ କ୍ଲଷ୍ଟର୍ କରିବେ ରାଜ୍ୟ ସରକାର, ଖର୍ଚ୍ଚ ଅଟକଳ ୪୦୧ କୋଟି

ଭୁବନେଶ୍ୱର : ରାଜ୍ୟରେ ଚାଷୀ ଆନ୍ଦୋଳନ ବ୍ୟାପକ ହେଉଥିଲା ବେଳେ ମଙ୍ଗଳବାର ସଚିବାଳୟରେ କୃଷି ଉତ୍ପାଦନ କ୍ଲଷ୍ଟର୍ ପ୍ରତିଷ୍ଠା ପାଇଁ ସରକାର ଘୋଷଣା କରିଛନ୍ତି । ୪୦୧ କୋଟି ଟଙ୍କା ବିନିଯୋଗରେ ଏହି କ୍ଲଷ୍ଟର୍ ପ୍ରତିଷ୍ଠା ହେବାକୁ ଥିବାବେଳେ ଏଥିରେ ୧ ଲକ୍ଷ ଚାଷୀ ଉପକୃତ ହେବେ । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଉତ୍ପାଦନ କ୍ଲଷ୍ଟର୍ ପ୍ରତିଷ୍ଠା ନେଇ ସୂଚନା ଦେଇଛନ୍ତି । ଏଥିପାଇଁ ଆବଶ୍ୟକ ଅର୍ଥ ରାଜ୍ୟ ପଞ୍ଚାୟତିରାଜ ବିଭାଗ ଅଧୀନରେ ଥିବା ଓଡ଼ିଶା ଜୀବିକା ମିଶନ, ଆପିକଲ୍ ଓ ଭାରତ ରୁରାଲ୍ ଲାଇଭଲିହୁଡ୍ ଫାଉଣ୍ଡେସନ୍ ‘ବିଆରଏଲଏଫ୍’ ଯୋଗାଇଦେବେ । ଏଥିପାଇଁ ଏହି ୩ଟି ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । କୃଷି ଉତ୍ପାଦନ କ୍ଲଷ୍ଟର୍ରେ ବିନିଯୋଗ ହେବାକୁ ଥିବା ୪୦୧ କୋଟି ୬୦ ଲକ୍ଷ ମଧ୍ୟରୁ ଓଡ଼ିଶା ଜୀବିକା ମିଶନ ୭୦ କୋଟି ୬ ଲକ୍ଷ ଟଙ୍କା, ଆପିକଲ୍ ୧୭ କୋଟି ୮୦ ଲକ୍ଷ ଟଙ୍କା, ‘ବିଆରଏଲଏଫ୍’ ୨୦ କୋଟି ୩୪ ଲକ୍ଷ ଟଙ୍କା ଓ ରାଜ୍ୟର କୃଷି ବିଭାଗ ୨୯୩ କୋଟି ୪୦ ଲକ୍ଷ ଟଙ୍କା ଯୋଗାଇଦେବେ ।

ଏହି ଯୋଜନାରେ ଆସନ୍ତା ୪ ବର୍ଷ ମଧ୍ୟରେ ଢିପ ଜମି ଥିବା ୧୨ଟି ଜିଲ୍ଲାରେ ୪୦ଟି ପଛୁଆ ବ୍ଲକରେ କୃଷି ଉତ୍ପାଦନ କ୍ଲଷ୍ଟର୍ ପ୍ରତିଷ୍ଠା କରାଯିବ । ଏହାଦ୍ୱାରା ପ୍ରାୟ ୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ବୃଦ୍ଧି ହେବ । ଏଥିରେ ୧୫୦ ଜଣ ଚାଷୀଙ୍କୁ ନେଇ ଉତ୍ପାଦକ ଗୋଷ୍ଠୀ ଗଠନ କରାଯିବ । ୪୦ ଏକର ପରିମତି ଜମିରେ ମୁଖ୍ୟତଃ ଉଦ୍ୟାନ କୃଷିଭିତ୍ତିକ ଫସଲ ଚାଷ କରିବାକୁ ସୁବିଧା ପ୍ରଦାନ କରାଯିବ । ଏହି ଉତ୍ପାଦକ ଗୋଷ୍ଠୀମାନଙ୍କର ୪ ହଜାରରୁ ୫ ହଜାର ଚାଷୀଙ୍କୁ ନେଇ କୃଷି ଉତ୍ପାଦନ କ୍ଲଷ୍ଟର୍ ବା ଉତ୍ପାଦକ କମ୍ପାନୀ ପ୍ରତିଷ୍ଠା କରାଯିବ ।
ରାଜ୍ୟରେ ୪୦ଟି ବ୍ଲକରେ ୬୫୦ଟି ଉତ୍ପାଦକ ଗୋଷ୍ଠୀ ମାଧ୍ୟମରେ ୧ଲକ୍ଷ ଚାଷୀଙ୍କୁ ନେଇ ୩୦ଟି ଉତ୍ପାଦକ କମ୍ପାନୀ ପ୍ରତିଷ୍ଠା କରାଯିବ । ସେହିପରି ୭୫୦ ଜଣ ବଜାର ସଂଯୋଗକାରୀ କୃଷି ଉଦ୍ୟୋଗୀଙ୍କୁ ସୃଷ୍ଟି କରି ଏହି ଅଞ୍ଚଳରେ ଭାଲ୍ୟୁ ଚେନ୍ ଆସିଷ୍ଟା ମେଣ୍ଢା ଓ କୁକୁଡ଼ା ପାଳନ ପାଇଁ ସୁବିଧା ପ୍ରଦାନ କରାଯିବ । କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଓ କୃଷି ଉତ୍ପାଦନ କମିଶନର ଗଗନ ଧଳଙ୍କ ସମେତ ଓଡ଼ିଶା ଜୀବିକା ମିଶନ, ଆପିକଲ୍ ଓ ଭାରତ ରୁରାଲ୍ ଲାଇଭଲିହୁଡ୍ ଫାଉଣ୍ଡେସନ୍ ‘ବିଆରଏଲଏଫ୍’ର ଅଧିକାରୀ ଉପସ୍ଥିତ ଥିଲେ ।