କରୋନା ଭାଇରସ ଭୟ : ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି

ଭୁବନେଶ୍ବର :  ଘାତକ କରୋନା ଭାଇରସ ବ୍ୟାପୁଥିବାବେଳେ ଏହାକୁ ମୁକାବିଲା କରିବା ଲାଗି ରାଜ୍ୟ ସରକାର ନିର୍ଦେଶାବଳୀ ଜାରି କରିଛନ୍ତି । ଏନେଇ ସ୍ବାଶ୍ଥ୍ୟ ବିଭାଗ ପକ୍ଷରୁ ୯ଟି ବିଷୟରେ ଆଡଭାଇଜରି ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ଝାରସଗୁଡା ଓ ଭୁବନେଶ୍ବର ଏୟାରପୋର୍ଟ ଅଥରଟିଙ୍କୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । ଏୟାରୋପର୍ଟର ପ୍ରବେଶ ପ୍ରସ୍ଥାନ ଦ୍ବାରରେ ସ୍ରିନିଂ ସେଣ୍ଟର କରିବା ସହ ଏୟାରଲାଇନ ଗାଇଡଲାଇନ ଅନୁସାରେ ଏହାକୁ ପରିଚାଳନା କରିବା ଲାଗି କୁହାଯାଇଛି । ଏୟାରପୋର୍ଟରେ ସ୍ରିନିଂ ସେଣ୍ଟର କରିବାକୁ ନିର୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସେହିପରି ପାରାଦୀପ ବନ୍ଦର ଓ ରେଲଓ୍ବେ ଷ୍ଟେସନ ଗୁଡିକୁ ମଧ୍ୟ ଏଥିପ୍ରତି ସତର୍କ ରହି ସ୍ରିନିଂ କରିବା ଲାଗି ନିର୍ଦେଶ ଦିଆଯାଇଛି । କରୋନା ଭାଇରାସ ଚିହ୍ନଟ ହେଲେ ସଙ୍ଗେ ସଙ୍ଗେ ସ୍ବାସ୍ଥ୍ୟ ନିର୍ଦେଶାଳୟ ଓ ସ୍ଥାନୀୟ ଡାକ୍ତରଖାନାକୁ ଜଣାଇବାକୁ ନିର୍ଦେଶ ଦିଆଯାଇଛି ।

ଏସସିବି ମେଡିକାଲ କଲେଜ, ଭିଏସଏସ ବୁର୍ଲା ଏବଂ କ୍ୟାପିଟାଲ ହସ୍ପିଟାଲ ସହ ଝାରସଗୁଡା ହସପିଟାଲରେ ସ୍ବତନ୍ତ୍ର ନୋଡାଲ ସେଣ୍ଟର , ଆଇସିୟୁ ଏବଂ ଓ୍ବାଡ ଖୋଲିବା ସହ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲିବାକୁ ନିର୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ପୋଲମୋନାରୀ ବିଭାଗ, ମେଡିସିନ ବିଭାଗକୁ ନେଇ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦେବାକୁ ଗାଇଡଲାଇନରେ କୁହାଯାଇଛି । କ୍ୟାପିଟେଲ ହସ୍ପିଟାଲର ନିର୍ଦେଶକ ଏବଂ ସୁପରିଟେଣ୍ଡଣ୍ଟଙ୍କୁ ଚିକିତ୍ସା ଲାଗି କମିଟି କରିବାକୁ ନିର୍ଦେଶ ରହିଛି । ଚିକିତ୍ସା ସହ ଜଡିତ ଥିବା ଆନେସ୍ଥେସିଆ, ମାଇକ୍ରୋବାଇଲୋଜି, ପାଥଲୋଜି, ଇଏନଟି ବିଭାଗର ଡାକ୍ତରଙ୍କୁ ଉପସ୍ଥିତ ରହିବାକୁ ନିର୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଏହା ସହ ଆବଶ୍ୟକୀୟ ଔଷଧ ଷ୍ଟକ ରଖିବାକୁ କହିଛି ସ୍ବାସ୍ଥ୍ୟ ବିଭାଗ ।