ଆଜିଠୁ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା

ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଥିବା ୨୫ ଲକ୍ଷ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଗାନ୍ଧି ଜୟନ୍ତୀରୁ ଆରମ୍ଭ କରିବେ । ଏଥିନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟ ଶାସନ ସଚିବ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଓ ସଚିବଙ୍କ ସମୀକ୍ଷା ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆରମ୍ଭ ଘୋଷଣା କରିବେ ବୋଲି ସୂଚନା ମିଳିଛି । ଏହାଦ୍ୱାରା ରାଜ୍ୟର ଅତିରିକ୍ତ ୬ଲକ୍ଷ ୭୦ ହଜାର ଗରିବ ପରିବାର ଉପକୃତ ହେବେ । ପରିବାରର ପ୍ରତି ସଦସ୍ୟଙ୍କୁ ମୁଣ୍ଡପିଛା ୫କିଲୋ ଚାଉଳ କିଲୋପ୍ରତି ମାତ୍ର ଏକ ଟଙ୍କାରେ ମିଳିବା ଆରମ୍ଭ ହେବ ।

୨୦୦୮ ଗାନ୍ଧି ଜୟନ୍ତୀ ଦିନ ସରକାର ୨ଟଙ୍କିଆ ଚାଉଳ ଯୋଜନା ଆରମ୍ଭ କରିଥିଲେ । ଆଜି ୧୦ ବର୍ଷ ପରେ ଏହି ଯୋଜନାକୁ ଅଧିକ ଶାଣିତ ଓ ବ୍ୟାପ୍ତ କରାଯାଇ ୧ଟଙ୍କିଆ ଚାଉଳ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ଦୁଇଟି ପର୍ଯ୍ୟାୟରେ ପ୍ରଣୟନ କରାଯିବ, ଯେଉଁଥିରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଥିବା ସମସ୍ତ ଯୋଗ୍ୟ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରାଯିବ । ରାଜ୍ୟ ସରକାର ଏଥିପାଇଁ ସ୍ୱତନ୍ତ୍ର ଆବେଦନ ଗ୍ରହଣ ଆରମ୍ଭ କରିଥିଲେ । ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ହୋଇଥିବା ସମୀକ୍ଷା ଅନୁସାରେ ୧୮ଲକ୍ଷ ୩୨ ହଜାର ହିତାଧିକାରୀଙ୍କ ନାଁକୁ ଏହି ଯୋଜନାରେ ଯୋଡ଼ା ଯାଇଛି । ଏହା ସମୁଦାୟ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କ ସଂଖ୍ୟାର ୭୩ ପ୍ରତିଶତ । ବାକି ୬.୬୮ ଲକ୍ଷ ହିତାଧିକାରୀଙ୍କ ୧୦ ଅକ୍ଟୋବର ସୁଦ୍ଧା ତାଲିକାଭୁକ୍ତ କରାଯିବ ବୋଲି ଖାଦ୍ୟ ଓ ଖାଉଟି ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଏହି ସୂଚନା ଅନୁସାରେ, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ ଏବଂ ଗଞ୍ଜାମ ଜିଲ୍ଲାର ୯୦ ପ୍ରତିଶତରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ । ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧ଲକ୍ଷ ୮୬ ହଜାର, ବଲାଙ୍ଗିରର ୯୬ ହଜାର ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟ ଯୋଜନାରେ ସାମିଲ୍ କରାଯାଇଛି । ଯେଉଁ ହିତାଧିକାରୀମାନେ ପୂର୍ବରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ସୁବିଧା ପାଉଛନ୍ତି ସେମାନଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯାଇଛି ।