କଂଟେନମେଂଟ ଅଂଚଳ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ କଂଟେନମେଂଟ ଅଂଚଳ ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ନୂଆ ଗାଇଡଲାଇନ୍ ଅନୁଯାୟୀ, କଂଟେନମେଂଟ ଜୋନକୁ ବ୍ୟାରିକେଡ୍ କରାଯିବା ସହ ଅବରୋଧ ଅଂଚଳରେ ଆଗମନ ଓ ପ୍ରସ୍ଥାନ ଉପରେ କଟକଣା ଲଗାଇବା ପାଇଁ ରାଜ୍ୟସରକାରଙ୍କ ନିର୍ଦ୍ଦେଶ। ଏଥିନେଇ ରାଜ୍ୟର ସମସ୍ତ ଅତିରିକ୍ତ ସଚିବ, ପୋଲିସ ମହାନିର୍ଦେଶକ ଓ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।

ତେବେ ବୟସ୍କ, ମହିଳା, ପ୍ରସୂତି, ଦିବ୍ୟାଙ୍ଗଙ୍କ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ ଗାଇଡଲାଇନରେ ସ୍ପଷ୍ଟ କରିଛନ୍ତି ରାଜ୍ୟସରକାର। କଂଟେନମେଂଟ ଜୋନର ଘରକୁ ଘର ବୁଲି ଅଙ୍ଗନୱାଡି କର୍ମୀ, ଏଏନଏମ, ସ୍ୱାସ୍ଥ୍ୟକର୍ମୀ ଓ ଶିକ୍ଷକ ଲୋକଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବେ । ଫ୍ଲୁ ଭଳି ଲକ୍ଷଣ ପ୍ରକାଶ ପାଇଲେ ନମୂନା ସଂଗ୍ରହ ସହ ପରୀକ୍ଷା କରାଯିବ ଏବଂ ଏହାର ତଦାରଖ ଚିକିତ୍ସା ଅଧିକାରୀ କରିବେ ବୋଲି ରାଜ୍ୟସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଅବରୋଧ ଥିବା କଂଟେନମେଂଟ ଅଂଚଳରେ ଅତ୍ୟାବଶ୍ୟକ ଜିନିଷ, ଔଷଧ ଯୋଗାଇ ଦିଆଯିବ। ମ୍ୟୁନିସିପାଲ୍ କମିସନର ଓ ଜିଲ୍ଲାପାଳଙ୍କୁ ଏହି ସମସ୍ତ ସୁବିଧା ଉପଲବ୍ଧ କରାଇବାକୁ ନର୍ଦେଶ ଦିଆଯାଇଛି। ଏହାଛଡ଼ା ଅବରୋଧ ଅଂଚଳର ପରିଚିତ ବ୍ୟକ୍ତିଙ୍କୁ ନେଇ ହ୍ୱାଟ୍ସଆପ ଗ୍ରୁପ୍ ହେବ। ହ୍ୱାଟ୍ସଆପ ଗ୍ରୁପରେ ବିଭିନ୍ନ ସୂଚନା ପ୍ରଦାନ କରାଯିବା ସହ କେବୁଲ୍ ଟିଭି, ସାଟେଲାଇଟ୍ ଟିଭି ଓ ପୋଷ୍ଟର ଜରିଆରେ ବିଭିନ୍ନ ସୂଚନା ପ୍ରଦାନ କରାଯିବ ବୋଲି କୁହାଯାଇଛି। ଏହାଛଡ଼ା ଲାଉଡ ସ୍ପିକର ଜରିଆରେ ଅବରୋଧ ଅଞ୍ଚଳରେ ସୂଚନା ପ୍ରଦାନ କରାଯିବାକୁ ନିର୍ଦେଶ ଦିଆଯାଇଛି।