ତୃତୀୟ ପର୍ଯ୍ୟାୟ ପିଏମଜିଏସୱାଇର ଶୁଭାରମ୍ଭ

ନୂଆଦିଲ୍ଲୀ : ନୂଆଦିଲ୍ଲୀଠାରେ  କେନ୍ଦ୍ର ଗ୍ରାମୀଣ ବିକାଶ, କୃଷି ଓ କୃଷକ ସଶକ୍ତୀକରଣ ଏବଂ ପଂଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ତୃତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ)ର  ଶୁଭାରମ୍ଭ କରିଛନ୍ତି।

ତୃତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ଗ୍ରାମାଂଚଳରେ ୧,୨୫,୦୦୦ କିମି ସଡ଼କ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ଗ୍ରାମାଂଚଳ ଜନବସତିକୁ ଡାକ୍ତରଖାନା, ଗ୍ରାମୀଣ କୃଷି ବଜାର ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହ ସଂଯୋଗ କରାଯିବ । ୨୦୧୯-୨୦ରୁ ୨୦୨୪-୨୫ ମଧ୍ୟରେ ଏହି ଯୋଜନାରେ ୮୦,୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ, ଏଥିମଧ୍ୟରୁ କେନ୍ଦ୍ର ସରକାର ୫୩, ୮୦୦ କୋଟି ଟଙ୍କା ଯୋଗାଇ ଦେବେ । ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ତୃତୀୟ ପର୍ଯ୍ୟାୟ ଲାଗି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପାଣ୍ଠି ବ୍ୟୟ ଅନୁପାତ ୬୦:୪୦ ରହିଛି । ଉତରପୂର୍ବ ଏବଂ ହିମାଳୟ ରାଜ୍ୟ ପାଇଁ ଏହି ଅନୁପାତ ୯୦:୧୦ ରଖାଯାଇଛି ।

ଗ୍ରାମୀଣ ସଡ଼କ ରକ୍ଷଣାବେକ୍ଷଣ ଲାଗି ସେ ରାଜ୍ୟଗୁଡ଼ିକ ଆହ୍ୱାନ କରିବା ସହିତ ତୃତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ । ୧୬ ଡିସେମ୍ବର ୨୦୧୯ ସୁଦ୍ଧା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୧,୫୩,୪୯୧ଟି ଗ୍ରାମ ରାସ୍ତା କାମ ଶେଷ ହୋଇଛି । ଏହା ମାଧ୍ୟମରେ ଦେଶର ୯୭.୨୭% ଯୋଗ୍ୟ ଓ ବ୍ୟବହାର୍ଯ୍ୟ ଜନବସତିକୁ ଯୋଡ଼ିବା ସହିତ ମୋଟ ୬,୦୭,୯୦୦ କିମି ସଡ଼କ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ଏଥିମଧ୍ୟରୁ ୩୬,୦୬୩ କିମି ଲମ୍ବ ସଡ଼କର ନିର୍ମାଣ ସବୁଜ ଜ୍ଞାନକୌଶଳ ଉପଯୋଗ କରି ନିର୍ମାଣ କରାଯାଇଛି, ଯେଉଁଥିରେ ବର୍ଜ୍ୟ ପ୍ଲାଷ୍ଟିକ ଏବଂ କୋଲ୍ଡ ମିକ୍ସ ଟେକନୋଲୋଜି ବ୍ୟବହାର କରାଯାଇଛି ।

ଏହି ଅବସରରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାର କହିଥିଲେ ଯେ, ପିଏମଜିଏୱାଇ ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଏକଦା ଗ୍ରାମାଂଚଳରେ ଭଲ ରାସ୍ତା କଥା କେହି କଳ୍ପନା କରିପାରୁନଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟି ଓ ସଂକଳ୍ପବଦ୍ଧତା କାରଣରୁ ଆଜି ଗ୍ରାମୀଣ ଭାରତରେ ୬ ଲକ୍ଷ କିମିରୁ ଅଧିକ ଗ୍ରାମୀଣ ସଡ଼କ ନିର୍ମାଣ କରାଯାଇପାରିଛି । ସାମଗ୍ରିକ ବିକାଶ ଏବଂ ଗ୍ରାମାଂଚଳର ସଶକ୍ତୀକରଣରେ ସଡ଼କ ସଂଯୋଗ ବ୍ୟବସ୍ଥାର ଗୁରୁତ୍ୱ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଥିଲେ ।