ଆକାଶଛୁଆଁ ହେଲା ସୁନା ଦର

ନୂଆଦିଲ୍ଲୀ:ସୁନା କ୍ରେତାଙ୍କ ପାଇଁ ପୁଣି ଚିନ୍ତା ବଢାଇଲା ସୁନା ଦର । ଦିଲ୍ଲୀ ସରଫା ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇ ପ୍ରଥମ ଥର ପାଇଁ ୪୦ ହଜାର ପାର ହୋଇ ଏକ ନୂଆ ରେକର୍ଡ଼ ସ୍ତରରେ ପହଂଚିଛି । ରୂପା ଦର ମଧ୍ୟ ବୃଦ୍ଧି ପାଇଛି ।

କିଛି ଦିନ ହେବ କ୍ରମାଗତ ଭାବେ ସୁନା ଦର ବୃଦ୍ଧି ପାଉଛି । ଦିଲ୍ଲୀ ସରଫା ବଜାରରେ ସୋମବାର ଦିନ ୧୧ଟା ବେଳେ ୧୦ଗ୍ରାମ ପ୍ରତିି ସୁନା ଦର ୧.୪୫ ପ୍ରତିଶତ ଅର୍ଥାତ ୫୫୦ ଟଙ୍କା ବୃଦ୍ଧି ପାଇ ୧୦ଗ୍ରାମ ସୁନା  ୩୯,୩୦୦ଟଙ୍କା ରହିଥିଲା । ତାହା ବର୍ତ୍ତମାନ ଦିନ ୧.୩୦ ବେଳେ ପୁଣି ବୃଦ୍ଧି ପାଇ ୧୦ଗ୍ରାମ ସୁନାର ମୂଲ୍ୟ ୪୦ହଜାର ପାର କରିଛି । ବର୍ତ୍ତମାନ ସୁନା ଦର ୧୦ଗ୍ରାମକୁ ୪୦,୧୬୦ ଟଙ୍କା ରହିଛି । 

ସେହିପରି ପ୍ରତି କିଲୋ ରୂପା ମୂଲ୍ୟରେ ୧.୪୮ ପ୍ରତିଶତ ଅର୍ଥାତ ୬୭୦ ଟଙ୍କା ବୃଦ୍ଧି ପାଇ  ୪୫,୨୭୫ ଟଙ୍କା ରହିଛି । ଚୀନ ଓ ଆମେରିକା ମଧ୍ୟରେ ଜାରି ରହିଥିବା ବ୍ୟବସାୟିକ ଯୁଦ୍ଧ କାରଣରୁ ସୁନା ଦର ବୃଦ୍ଧି ପାଉଥିବା ଜଣାପଡ଼ିଛି । ଏହି ବାଣିଜ୍ୟ ଯୁଦ୍ଧ ଯୋଗୁଁ ନିବେଶକାରୀମାନେ ଶିଳ୍ପ ଓ ମାନୁଫାକ୍ଚରିଂ କ୍ଷେତ୍ରରେ ପୁଞ୍ଜି ଖଟେଇବାକୁ ପସନ୍ଦ କରୁ ନାହାନ୍ତି। ଛୋଟ ଛୋଟ ପୁଞ୍ଜିନିବେଶକମାନେ ଶେୟାର ବଜାରରୁ ଟଙ୍କା ଉଠାଇ ଆଣି ସୁନା ଓ ରୁପାରେ ନିବେଶ କରୁଛନ୍ତି।