ଭୁବନେଶ୍ୱର: ଇଣ୍ଡିଆନ ମେଟାଲ୍ସ ଓ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା)ର ପ୍ରତିଷ୍ଠାତା ସ୍ୱର୍ଗତ ଡ. ବଂଶୀଧର ପଣ୍ଡାଙ୍କ ସ୍ମୃତିରେ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ସ୍ ଅଫ୍ ଟେକ୍ନୋଲୋଜି (ଏନ୍ଆଇଟି) ରାଉରକେଲାରେ ଏକ ସ୍ୱର୍ଣ୍ଣପଦକ ପ୍ରତିଷ୍ଠା କରିବା ନିମନ୍ତେ ଉଭୟ ଅନୁଷ୍ଠାନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ପ୍ରତ୍ୟେକ ବର୍ଷ ବିଟେକ୍ ପରୀକ୍ଷାରେ ମେଟାଲର୍ଜି ଏବଂ ମ୍ୟାଟେରିଆଲ୍ ଇଞ୍ଜିନିୟରିଂ ବିଭାଗରେ ଯେଉଁ ଛାତ୍ର ବା ଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିବେ, ତାଙ୍କୁ ଇମ୍ଫା ଓ ଏନ୍ଆଇଟି ରାଉରକେଲା ପକ୍ଷରୁ ଏହି ସମ୍ମାନଜନକ ଡ. ବଂଶୀଧର ପଣ୍ଡା ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ ଏବଂ ଏହା ଚଳିତବର୍ଷ ୨୦୧୯ରେ ଆରମ୍ଭ ହୋଇଥିବା ଶିକ୍ଷାବର୍ଷଠାରୁ ଆରମ୍ଭ ହେବ । ଇମ୍ଫା ଦେଶର ସର୍ବଶ୍ରେଷ୍ଠ ଫେରୋ ଆଲଏଜ୍ ଉତ୍ପାଦନକାରୀ ସଂସ୍ଥା ହୋଇଥିବାବେଳେ ଏନ୍ଆଇଟି ରାଉରକେଲା ପ୍ରଯୁକ୍ତିବିଦ୍ୟା, ବିଜ୍ଞାନ ଓ ବୈଷୟିକ ଶିକ୍ଷା ନିମନ୍ତେ ଦେଶର ଅଗ୍ରଣୀ ସରକାରୀ ଶିକ୍ଷାନୁଷ୍ଠାନ । ନିକଟରେ ରାଉରକେଲାରେ ଇମ୍ଫାର କର୍ପୋରେଟ୍ ବ୍ୟାପାର ବିଭାଗର ଉପସଭାପତି ଅଶୋକ ବେହେରା ଓ ଏନ୍ଆଇଟି ରାଉରକେଲାର ରେଜିଷ୍ଟ୍ରାର ପ୍ରଫେସର ପ୍ରଦୀପ କୁମାର ଦାସଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଏନ୍ଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର ଅନିମେଶ ବିଶ୍ୱାସ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି, “ମୋର ଆଶା ଏହି ସମ୍ମାନ ସମ୍ମାନିତ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବା ସହିତ ଏହା ପ୍ରତ୍ୟେକ ମେଟାଲର୍ଜି ସ୍ନାତକମାନଙ୍କୁ କଠିନ ପରିଶ୍ରମ କରିବା ନିମନ୍ତେ ଆହୁରି ଉତ୍ସାହିତ କରିବ । ପ୍ରତ୍ୟେକ ଯୁବକ ଯୁବତୀ ନିଜ ପସନ୍ଦର ଶିକ୍ଷା କ୍ଷେତ୍ରରେ ଉତ୍ତରୋତ୍ତର ଉନ୍ନତି କରିବେ ।’