ରାତିରେ ବିଦା ହେଲେ ଗୋଆ ଉପମୁଖ୍ୟମନ୍ତ୍ରୀ

ଗୋଆ: ଗୋଆରାଜନୀତିରେ ଘଡିକେ ଘୋଡା ଛୁଟୁଛି । କେତେବେଳେ ରାତି ଅଧରେ ଏମଜିପି ଛାଡି ବିଜେପିରେ ବିଧାୟକ ଯୋଗ ଦେଉଛନ୍ତି ତ କେତେବେଳେ ପୁଣି ରାତି ଅଧରେ ଚାଲିଯାଉଛି ଉପ-ମୁଖ୍ୟମନ୍ତ୍ରୀଙ୍କ ପଦ । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଗୋଆରେ ପୁଣି ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି। ରାତାରାତି ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି (ଏମଜିପି )ର ଦୁଇ ବିଧାୟକ ବିଜେପିରେ ସାମିଲ ହୋଇଯାଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପଦ ହରାଇଛନ୍ତି ସୁଦିନ ଡାଭଲିକର। ମେଣ୍ଟଦଳର ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ମନୋହର ଅଜଗାଓଁକର ଏବଂ ଦୀପକ ପାଓସକର ଦଳରେ ସାମିଲ ହେବେ ବୋଲି ବିଜେପି ରାତି ୧.୪୫ ରେ ରାଜ୍ୟପାଳଙ୍କୁ ଚିଠି ଦେଇଥିବା ଜଣାପଡିଛି ଓ ବିଜେପିର ଏହି ରାତି ଅଧିଆ ଅପରେସନ ସଫଳ ହେବାପରେ ଏମଜିପି ରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏମଜିପିର ମୋଟ ୩ ବିଧାୟକଙ୍କ ମଧ୍ୟରୁ ଦୁଇ ଜଣ ବିଧାୟକ ବିଜେପିରେ ମିଶିଲା ପରେ ଏବେକେବଳ ଜଣେ ମାତ୍ର ସଦସ୍ୟ ସୁଦିନ ଡଭାଲିକର ରହିଛନ୍ତି ଓ ସେ ବିଜେପିକୁ ବିରୋଧ ଜାରି ରଖିଥିବାରୁ ତାଙ୍କୁ ପଦରୁ ହଟାଇ ଦିଆଯାଇଛି। ଦଳ ବଦଳ ଆଇନ ଏ କ୍ଷେତ୍ରରେ ଲାଗୁ ହୋଇପାରିବ ନାହିଁ ଏବଂ ବିଜେପି ଏହାର ଭରପୂର ଫାଇଦା ଉଠାଇଛି। ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ତିନି ଜଣ ବିଧାୟକଙ୍କୁ ମନ୍ତ୍ରୀପଦ ଦେବା ପାଇଁ ବିଜେପି ଘୋଷଣା କରି ସେମାନଙ୍କୁ ପ୍ରଲୋଭିତ କରିଥିଲା। ଦେଉଁ ଦୁଇ ଜଣ ବିଧାୟକଙ୍କୁ ଏମ୍ଜିପିରେ ଅଣଦେଖା କରାଯାଉଥିଲା ସେମାନେ ଏବେ ବିଜେପିରେ ସାମିଲ ହୋଇଯାଇଥିବାରୁ ୩୬ ଜଣିଆ ବିଧାନସଭାରେ ବିଜେପିର ସଭ୍ୟସଂଖ୍ୟା ୧୨ରୁ ୧୪ରେ ପହଂଚିଛି ।