ମହିଳା କର୍ମଚାରୀମାନେ ସୋଆ ବିଶ୍ୱବିଦ୍ୟାଳୟର ଗୌରବ : ଶାଶ୍ୱତି ଦାସ

ଭୁବନେଶ୍ୱର(ବ୍ୟୁରୋ) : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ କାର୍ଯ୍ୟରତ ମହିଳାମାନେ କେବଳ ଶିକ୍ଷା କିମ୍ବା ସ୍ୱାସ୍ଥ୍ୟ କ୍ଷେତ୍ରରେ ନୁହେଁ ବରଂ ବିଭିନ୍ନ ବିଭାଗରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଏହି ଦୃଷ୍ଟିରୁ ସେମାନେ ବିଶ୍ୱବିଦ୍ୟାଳୟ ଓ ସାରା ରାଜ୍ୟରେ ଉଦାହରଣ ପାଲଟିଛନ୍ତି ବୋଲି ଆନନ୍ଦ ବ୍ୟକ୍ତ କରିଛନ୍ତି ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ । 

ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ପରିସରରେ ଶନିବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀମତି ଦାସ ସୋଆର ମହିଳା କର୍ମଚାରୀମାନଙ୍କୁ କୃତଜ୍ଞତା ଓ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଅବସରରେ ଶ୍ରୀମତି ଦାସ କହିଥିଲେ ଯେ ଯେଉଁ ସ୍ଥାନରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ ସେଠାରେ ହିଁ ଦେବତା ବାସ କରନ୍ତି । ଦ୍ରୌପଦୀ, ଅନୁସୂୟା, ସୀତା, ସାବିତ୍ରୀ, କୁନ୍ତଳା କୁମାରୀ ଓ ଲକ୍ଷ୍ମୀବାଈଙ୍କ ଭଳି ମହିଳାଙ୍କ ଉଦାହରଣ ଦେଇ ଶ୍ରୀମତି ଦାସ କହିଥିଲେ ଯେ ନାରୀ ହିଁ ସ୍ୱର୍ଣ୍ଣିମ ଇତିହାସର ପୃଷ୍ଠଭୂମି । ବର୍ତମାନ ନାରୀ ସମାଜ ସହ ତାଳ ଦେଇ ଦେଶ ଓ ଜାତିର ନେତୃତ୍ୱ ନେଉଛି । ଏହି ନାରୀମାନଙ୍କୁ ସେ ଅଭିନନ୍ଦନ ଓ ସଶ୍ରଦ୍ଧ ସମ୍ମାନ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ଦେବା ଅବସରରେ ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଉପସ୍ଥିତ ମହିଳା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବର୍ତମାନ ସବୁ କ୍ଷେତ୍ରରେ ନାରୀମାନେ ଆଗରେ ଅଛନ୍ତି ବୋଲି କହିଥିଲେ । ସବୁ ସଫଳ ପୁରୁଷଙ୍କ ପଛରେ ନାରୀର ହାତ ରହିଥାଏ ବୋଲି ସେ କହିଥିଲେ ।

ସେହିପରି ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର କହିଥିଲେ ଯେ ଗୋଟିଏ ପରିବାରକୁ ନାରୀ ହିଁ ଯୋଡି ରଖିଥାଏ । ନାରୀମାନଙ୍କର ଯେଉଁ କ୍ଷେତ୍ରରେ ଆଗ୍ରହ ଅଛି ସେ ଦିଗରେ ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ୍ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଆଇଟିଇଆର୍ କମ୍ପ୍ୟୁଟର ସାଇନ୍ସ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ପ୍ରଫେସର ମୀରା ଦାସ, ପ୍ରଫେସର ଅନୀତା ପଣ୍ଡା, ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା ଓ ସୋଆ କମ୍ୟୁନିଟି ରେଡିଓର ଇନ୍‌ଚାର୍ଜ ଶ୍ରୀମତି ହନୀ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମରେ ସୋଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌)ର ଡିନ୍ ପ୍ରଫେସର ନୀତା ମହାନ୍ତି, ବିଭିନ୍ନ ଅନୁଷ୍ଠାନର ପ୍ରଫେସର, ଫ୍ୟାକଲ୍ଟି, ବିଭିନ୍ନ ବିଭାଗର ମହିଳା ମୁଖ୍ୟଙ୍କ ସମେତ ଅନ୍ୟାନ୍ୟ ମହିଳା କାର୍ଯ୍ୟକର୍ତା, ନ୍ୟୁଜ୍ ୭ ଏବଂ ପ୍ରମେୟର ମହିଳା ସାମ୍ବାଦିକାମାନେ ମଧ୍ୟ ଯୋଗ ଦେଇଥିଲେ ।

ସୂଚନା ଯୋଗ୍ୟ ଯେ ସୋଆର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୫୫ ପ୍ରତିଶତ ଛାତ୍ରୀ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ତଥା କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ମହିଳା ।

ମହିଳା ଦିବସ ଅବସରରେ କେକ୍ କାଟି ମହିଳା କର୍ମଚାରୀମାନେ ଉପସଭାପତି ଶ୍ରୀମତି ଦାସଙ୍କ ଉପସ୍ଥିତିରେ ଉତ୍ସବ ପାଳନ କରିଥିଲେ ।