ଭୁବନେଶ୍ୱର: ପ୍ରଦୂଷଣ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନୂଆ ପ୍ରୟାସ ଆରମ୍ଭ ହୋଇଛି । ପ୍ରଥମେ ପ୍ରତି ଶୁକ୍ରବାର ଅଫିସକୁ ସାଇକେଲରେ ଯାତ୍ରା କରିବାର ପ୍ରୟାସ ପରେ ଏବେ ଆଉ ଏକ ନୂଆ ପଦକ୍ଷେପ ନେଇଛି ବିଏମସି । ଏଣିକି ପ୍ଲାଷ୍ଟିକ୍ ଦେଲେ ଆହାର କେନ୍ଦ୍ରରୁ ଖାଦ୍ୟ ମିଳିବ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଆସନ୍ତା ୧୬ ତାରିଖରୁ ଅଧ କେଜି ପ୍ଲାଷ୍ଟିକ ଦେଲେ ଲୋକଙ୍କୁ ଆହାର ଖାଦ୍ୟ ମିଳିବ। ବିଏମସି ଅଧୀନ ସମସ୍ତ ୧୧ଟି ଆହାର କେନ୍ଦ୍ରରେ ଏହି ସୁବିଧା ମିଳିବ। ୧୬ ତାରିଖରେ ବିଧିବଦ୍ଧ ଭାବେ ବିଏମସି କର୍ତୃପକ୍ଷ ଏହାର ଶୁଭାରମ୍ଭ କରିବେ। ୟୁଏନଡିପି ଓ ଟଚ୍ ଷ୍ଟୋନ ଫାଉଣ୍ଡେସନ ଆନୁକୂଲ୍ୟରେ ବିଏମସି ଏହି ଯୋଜନା ପ୍ରସ୍ତୁତ କରିଛି। ଫଳରେ ଏବେ ଲୋକେ ବାହାରେ ଫିଙ୍ଗୁଥିବା ପ୍ଲାଷ୍ଟିକକୁ ଏକାଠି କରି ଆହାର କେନ୍ଦ୍ରକୁ ନେବେ ବୋଲି ଆଶା କରାଯାଉଛି।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ଵରକୁ ପ୍ରଦୂଷଣମୁକ୍ତ କରିବା ନେଇ ଭୁବନେଶ୍ଵରର ତିନୋଟି ସରକାରୀ ଅନୁଷ୍ଠାନ ଭୁବନେଶ୍ଵର ସ୍ମାର୍ଟ ସିଟି ଲିମଟେଡ୍(ବିଏମଏସିଏଲ), ଭୁବେନଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଓ ଭୁବନେଶ୍ଵର ମହାନାଗର ନିଗମ(ବିଏମସି)ର ସମସ୍ତ କର୍ମଚାରୀ ଏଣିକି ପ୍ରତି ଶୁକ୍ରବାର ସାଇକେଲରେ କିମ୍ବା ଚାଲି ଚାଲି ଅଫିସ ଆସିବେ ନେଇ ନିର୍ଦ୍ଦେଶ ଜାରି ହୋଇଛି।