ମାଟି ତଳୁ ବାହାରିଲା ଅଧାପୋତା ନବଜାତ ଶିଶୁ କନ୍ୟା

କୋରାପୁଟ : ଏତେ ସଚେତନତା ପରେ ବି କିଛି ଲୋକଙ୍କ ପାଇଁ କେମିତି କନ୍ୟା ସନ୍ତାନ ଅଲୋଡ଼ା ହୋଇପଡ଼ିଛନ୍ତି ତା’ର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଜୟପୁର କେବିଡି ଗାଁରେ । ଗାଁ ନିକଟରେ ଥିବା ଏକ ପୋଲ ନିକଟରୁ ମାଟିରେ ପୋତା ହୋଇଥିବା ଅବସ୍ଥାରେ ଏକ ଜୀବୀତ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ ଲୋକେ । ଶିଶୁଟିକୁ ପ୍ରଥମେ ରାବଣାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଦୁନିଆକୁ ଆଣିଥିବା ଜନ୍ମଦାତ୍ରୀର ଏଭଳି ଉଦ୍ୟମର ପ୍ରତିବାଦ କରିବାକୁ ତା’ ପାଖରେ ଶକ୍ତି ନଥିଲା । କାହିଁକି ତା’ ପ୍ରତି ଏତେ ଅନ୍ୟାୟ, ସେ ଆଜି ଯଦି ପୁଅଟେ ହୋଇଥାନ୍ତା, ତାହେଲେ କ’ଣ ମାଆ ତାକୁ  ଏମିତି ପୋଲ ତଳେ ଫୋପାଡ଼ି ଚାଲିଯାଇଥାନ୍ତା । ମାଟି ତଳେ ପୋତି ମାରିବାକୁ ତ ଭରପୁର ଚେଷ୍ଟା କରିଥିଲେ, ତା’ ଇଚ୍ଛା ବିରୁଦ୍ଧରେ ତାକୁ ଏ ଦୁନିଆକୁ ଆଣିଥିବା ମଣିଷମାନେ । ହେଲେ ଭଗବାନ ଚାହୁଁଥିଲେ ସେ ବଞ୍ଚୁ, ଏ ଦୁନିଆରେ ସ୍ନେହ ଆଦର ଆଉ ନିଷ୍ଠୁରତା ସମ୍ପର୍କର ଅନୁଭବ କରୁ । ବୋଧ ହୁଏ ସେଇଥି ପାଇଁ ତ ସେ ବଞ୍ଚିଗଲା । ଜୟପୁର କେବିଡି ଗାଁର କିଛି ଲୋକଙ୍କ ନଜରକୁ ଆସିଲା । ସକାଳୁ ସକାଳୁ ପୋଲ ନିକଟରେ ଛୁଆଟିର କୁଆଁ କୁଆଁ କାନ୍ଦ ସେମାନଙ୍କୁ ବିଚଳିତ କରିପକାଇଥିଲା । ଦୌଡ଼ି ଗଲେ ପାଖକୁ । ଆଉ ମାଟି ଖୋଳି ଗୋଟାଇ ଆଣିଲେ କୋଳକୁ । ପାଇଥିବା ଦୁଇ ମାସର ଶିଶୁକନ୍ୟାଟିକୁ ପାଖରେ ଥିବା ରାବଣାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଗଲେ । ଡାକ୍ତର କହିଲେ ତା’ର ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି । ହେଲେ ଜନ୍ମରୁ ଗ୍ରହଣ ଖଣ୍ଡିଆରେ ଆକ୍ରାନ୍ତ ଥିବାରୁ ତାକୁ ଅଧିକ ଚିକିତ୍ସାର ଆବଶ୍ୟକତାକୁ ଦେଖି ଏବେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେକିକାଲ କଲେଜରେ ଭର୍ତ୍ତି କରାଯାଇଛି ।

କିଏ ଓ କାହିଁକି ଶିଶୁକନ୍ୟାଟିକୁ ଏମିତି ମାଟି ତଳେ ପୋତି ଚାଲିଯାଇଥିଲା । ପୋଲିସ ତା’ର ତଦନ୍ତ କରୁଛି । ସେପଟେ ଚାଲିଲ୍ଡ ଲାଇନ ଓ ଶିଶୁ ମଙ୍ଗଳ ସମିତି ଘଟଣାରେ ହସ୍ତକ୍ଷେପ କରି ଶିଶୁକନ୍ୟାଟିର ଦାୟିତ୍ବ ନେଇଛନ୍ତି ।

ଜୟପୁରର ଏହି ଘଟଣା ଦେଖିବା ପରେ ଆମର ମନେ ପଡ଼ୁଛି ଯାଜପୁର କଥା । ୨୦୧୭ ମାର୍ଚ୍ଚ ମାସରେ ସମାନ ଘଟଣା ନଜରକୁ ଆସିଥିଲା ଯାଜପୁର ଶ୍ୟାମସୁନ୍ଦରପୁର ଗାଁରେ । ଏକ ଜୀବୀତ ଶିଶୁ କନ୍ୟାକୁ ପୋତା ଯାଇଥିବା ଅବସ୍ଥାରେ ଅଳିଆ ଗଦାରୁ ଉଦ୍ଧାର କରାଯାଇଥିଲା । ଏବେ ସେ ପାଖାପାଖି ୨ବର୍ଷର ହୋଇଗଲାଣି । କିନ୍ତୁ ଏବେ ସ୍ପଷ୍ଟ ହୋଇପାରିନି କିଏ ଓ କାହିଁକି ଶିଶୁକନ୍ୟାଟିକୁ ଏମିତି ଅଲୋଡ଼ା କରିଦେଇଥିଲା ।