ଦେଶର ନୂଆ ସିଏଜି ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ

ଭୁବନେଶ୍ୱର: ଓଡ଼ିଶାରେ ଜନ୍ମିତ ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଦେଶର ନୂଆ କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ(ସିଏଜି)। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସିଏଜି ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗିରୀଶ ଚନ୍ଦ୍ର ମୁର୍ମୁ ବୁଧବାର ଜମ୍ମୁକଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ନିଜର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଥିଲେ। ଆଜି ତାଙ୍କୁ ସିଏଜି ଭାବେ ନିଯୁକ୍ତି ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ ୨୦୧୯ ଅଧୀନରେ ଜମ୍ମୁ-କଶ୍ମୀର ଏବଂ ଲଦାଖ ପୃଥକ ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିଲା। ଏହା ପରେ ଗିରୀଶଙ୍କୁ ଉପରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇ ଥିଲା। ଗତ ବର୍ଷ ଅକ୍ଟୋବରରେ ସେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଦାୟିତ୍ୱ ନେଇଥିଲେ।

ଚଳିତ ସପ୍ତାହରେ ଭାରତୀୟ ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ ରାଜୀବ ମହର୍ଷି ଅବସର ନେଇଛନ୍ତି। ତାଙ୍କ ସ୍ଥାନରେ ଶ୍ରୀ ମୁର୍ମୁଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ୧୯୮୫ ବ୍ୟାଚ୍‌ର ଗୁଜରାଟ କ୍ୟାଡର ଆଇଏଏସ୍ ଅଧିକାରୀ ମୁର୍ମୁ ତାଙ୍କର ପ୍ରଧାନ ସଚିବ ଥିଲେ।