ମୋ କୁଶପୁତଳିକାକୁ ଚପଲ ମାର, ନିଆଁ ଲଗାଇ ଦିଅ; ମାତ୍ର ଗରିବ ଲୋକଙ୍କ ଘର କିମ୍ବା ଗାଡି ପୋଡ ନାହିଁ: ମୋଦି

ରାମଲୀଲା ମୈଦାନରେ ବିଜେପି ପକ୍ଷରୁ ଆୟେରଜିତ ଧନ୍ୟବାଦ ରାଲି

ନୂଆଦିଲ୍ଲୀ: ମୋ ଉପରେ ରାଗ ଅଛି ଯଦି ତେବେ ତା’ର କୁଶପୁତଳିକାକୁ ଚପଲ ମାର, ନିଆଁ ଲଗାଇ ଦିଅ । ମାତ୍ର ମୋ ଉପରେ ରାଗ ଶୁଝାଇବାକୁ ଯାଇ ଗରିବ ଲୋକଙ୍କ ଘର କିମ୍ବା ତାଙ୍କର ଗାଡି ପୋଡ ନାହିଁ । ଦେଶର ସମ୍ପତିକୁ ଏଭଳି ନଷ୍ଟ କରିନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣରେ କହିଛନ୍ତି । ଆଜି ଦିଲ୍ଲୀର ରାମଲୀଳା ମୈଦାନରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ଧନ୍ୟବାଦ ରାଲିରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସଂସଦର ଗତ ଅଧିବେଶନର ଗୃହୀତ ହୋଇଥିବା ନାଗରିକତା ଆଇନର ଉଦ୍ଦେଶ୍ୟ ହେଉଛି ଆମ ପଡ଼ୋଶୀ ଦେଶରେ ଅତ୍ୟାଚାରର ଶିକାର ହେଉଥିବା ସଂଖ୍ୟାଲଘୁଙ୍କୁ ଆଶ୍ରୟ ଦେବା । ଏହି ଆଇନକୁ ଗୃହୀତ କରିଥିବାରୁ ସେ ସଂସଦ ନିକଟରେ କୃତଜ୍ଞ ବୋଲି ମୋଦୀ କହିଛନ୍ତି । ଏହି ଐତିହାସିକ ଆଇନ ସପକ୍ଷରେ ସମସ୍ତେ ବାହାରିବା ଉଚିତ ବୋଲି ସେ କହିଛନ୍ତି । କିନ୍ତୁ ବିରୋଧୀଦଳ ଏହି ଆଇନ ସଂପର୍କରେ ମିଥ୍ୟା ପ୍ରଚାର କରୁଛନ୍ତି । କଂଗ୍ରେସ ପକ୍ଷରୁ କୁହାଯାଉଛି ଯେ ଦେଶର ମୁସଲିମମାନଙ୍କୁ ବନ୍ଦୀ କରି ରଖାଯିବ କିନ୍ତୁ ଏହା ସଂପୂର୍ଣ୍ଣ ମିଛ ।

ସୂଚନାଯୋଗ୍ୟ ଯେ ନାଗରିକତା ସଂଶୋଧନ ଆଇନ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।