ଜାତୀୟ ଜନସମ୍ପର୍କ କାର୍ଯ୍ୟକ୍ରମ ‘ଜିଇଏମ ସମ୍ବାଦ’ର ଶୁଭାରମ୍ଭ

ଡିସେମ୍ବର ୧୯ରୁ ୧୭ ଫେବୃଆରୀ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀ ଠାରେ ଗଭର୍ଣ୍ଣମେଂଟ ଇ ମାର୍କେଟ ପ୍ଲେସ (ଜିଇଏମ) ପକ୍ଷରୁ ଏକ ଜାତୀୟ ଜନସମ୍ପର୍କ କାର୍ଯ୍ୟକ୍ରମ ଜିଇଏମ ସମ୍ବାଦର ଶୁଭାରମ୍ଭ କରାଯାଇଛି । କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗ ସଚିବ ତଥା ଜିଇଏମର ଅଧ୍ୟକ୍ଷ ଅନୁପ ୱାଧୱାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା । ସାରା ଦେଶରେ ସମସ୍ତ ଅଂଶୀଦାର ଓ ସ୍ଥାନୀୟ ବିକ୍ରେତାମାନଙ୍କୁ ନେଇ ଏହି ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ମାର୍କେଟ ପ୍ଲେସରେ ସ୍ଥାନୀୟ ବିକ୍ରେତାଙ୍କୁ ଅନ୍ତର୍ଭୂକ୍ତ କରିବା ଏବଂ କ୍ରେତାମାନଙ୍କ ନିର୍ଦ୍ଦିଷ୍ଟ କ୍ରୟ ଆବଶ୍ୟକତା ପୂରଣ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଡିସେମ୍ବର ୧୯ ତାରିଖ ଠାରୁ ୧୭ ଫେବୃଆରୀ ୨୦୨୦ ପର୍ଯ୍ୟନ୍ତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଏହି କାର୍ଯ୍ୟକ୍ରମ ଚାଲିବ । ବର୍ତମାନ ଜିଇଏମରେ ୧୫ ଲକ୍ଷରୁ ଊଦ୍ଧ୍ୱର୍ ଉତ୍ପାଦ ଏବଂ ପାଖାପାଖି ୨୦ ହଜାର ସେବା ଉପଲବ୍ଧ ରହିଛି । ଏଥିରେ ୩ ଲକ୍ଷରୁ ଊଦ୍ଧ୍ୱର୍ ପଞ୍ଜିକୃତ ବିକ୍ରେତା ଓ ସେବା ପ୍ରଦାନକାରୀ ଏବଂ ୪୦ ହଜାରରୁ ଅଧିକ ସରକାରୀ କ୍ରେତା ସଂଗଠନ ମଧ୍ୟ ରହିଛନ୍ତି । ମାତ୍ର ୩ ବର୍ଷର ସ୍ୱଳ୍ପ ଅବଧି ମଧ୍ୟରେ ଜିଇଏମ ଜରିଆରେ ୪୦ ହଜାର କୋଟି ଟଙ୍କାର ନିଟ ବାଣିଜ୍ୟିକ ମୂଲ୍ୟରେ ୨୮ ଲକ୍ଷ ଅର୍ଡର ପ୍ରକ୍ରିୟାକୃତ ହୋଇଛି । ଏଥିମଧ୍ୟରୁ ୫୦% କାରବାର ଏମଏସଏମଇଗୁଡ଼ିକ ଦ୍ୱାରା ହୋଇଛି । ରାଜ୍ୟ ବିଭାଗ ଓ ସଂସ୍ଥାନ ତଥା ରାଷ୍ଟ୍ରାୟତ କ୍ଷେତ୍ର ଉପକ୍ରମଗୁଡ଼ିକ ଜିଇଏମର ଉପଯୋଗ କରି ସେମାନଙ୍କ କ୍ରୟ ଆବଶ୍ୟକତା ମେଂଟାଉଛନ୍ତି । ଏହି ପୋର୍ଟାଲ ଜରିଆରେ ରାଜ୍ୟସ୍ତରର ବିକ୍ରେତାମାନେ ଜାତୀୟ ବଜାର ପହଁଚ ହାସଲ କରି ଲାଭାନ୍ୱିତ ହେଉଛନ୍ତି । ଜିଇଏମ ସମ୍ବାଦ କାର୍ଯ୍ୟକ୍ରମ ଜରିଆରେ ବ୍ୟବହାରକାରୀଙ୍କ ଠାରୁ ମତାମତ ସଂଗ୍ରହ କରାଯିବା ଯାହାକୁ ଏହି ବ୍ୟବସ୍ଥାରେ ସୁଧାର ଏବଂ ଉନ୍ନତିକରଣ ପାଇଁ ଉପଯୋଗ କରାଯିବ ।

ସୂଚନାଯୋଗ୍ୟ ଯେ ଜିଇଏମ ହେଉଛି ଏକ ଜାତୀୟ ସାର୍ବଜନୀନ କାରବାର ପୋର୍ଟାଲ ଯାହା ଜରିଆରେ କେନ୍ଦ୍ର ଓ ରାଜ୍ୟ ସରକାରୀ ବିଭାଗ, ରାଷ୍ଟ୍ରାୟତ ଉଦ୍ୟୋଗ, ସ୍ୱୟଂଶାସିତ ସଂସ୍ଥାନ ଓ ସ୍ଥାନୀୟ ପ୍ରଶାସନଗୁଡ଼ିକ ସେମାନଙ୍କ ସମସ୍ତ ସାମଗ୍ରୀ ଓ ସେବା କ୍ରୟ ଆବଶ୍ୟକତା ପୂରଣ କରିପାରୁଛନ୍ତି । ଏହି ବ୍ୟବସ୍ଥା ୯ ଅଗଷ୍ଟ ୨୦୧୬ରେ ଆରମ୍ଭ ହୋଇଥିଲା । ପ୍ରଯୁକ୍ତିର ଉପଯୋଗ କରି ଜିଇଏମ ଦେଶରେ ସାର୍ବଜନୀନ କ୍ରୟ ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଆଣିପାରିଛି । ଏହା କ୍ରୟ ପ୍ରକ୍ରିୟାକୁ ଯୋଗାଯୋଗ ମୁକ୍ତ, କାଗଜମୁକ୍ତ ଓ ନଗଦମୁକ୍ତ କରିପାରିଛି । ଜିଇଏ ସମ୍ବାଦ ସଂକ୍ରାନ୍ତରେ ବିସ୍ତୃତ ସୂଚନା  https://gem.gov.in ୱେବସାଇଟରେ ଉପଲବ୍ଧ ।