ଆଜିଠୁ ଗଞ୍ଜାମ ଜିଲ୍ଲାରେ ସବୁ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଶୁଭାରମ୍ଭ କଲେ ଜିଲ୍ଲାପାଳ

ବ୍ରହ୍ମପୁର: ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ସବୁଲୋକଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା । ଏହାକଚ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଛତ୍ରପୁରଠାରେ ଶୁଭାରମ୍ଭ କରିଛନ୍ତି । ସାମାଜିକ ଦୂରତ୍ୱକୁ ନଜରରେ ରଖି ଏହି କାମ କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି ।

ସୂଚନାଯୋଗ୍ୟ, ତିନି ଦିନ ମଧ୍ୟରେ ରାଜ୍ୟରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଗଞ୍ଜାମ ଜିଲ୍ଲାରେ ୬ ହଜାରରୁ ଅଧିକ ରାଜସ୍ୱ ଗ୍ରାମ ଅଛି, ଆଉ ପ୍ରତି ରାଜସ୍ୱ ଗ୍ରାମ ପାଇଁ ୫ ଜଣିଆ ଟିମ ଗଠନ କରାଯାଇଛି । ଏହି ଟିମ ରେ ଆଶା, ଅଙ୍ଗନବାଡି କର୍ମୀ, ଜିଆରଏସ, ଶିକ୍ଷକ ଓ ସ୍ୱାସ୍ଥ୍ୟ ସୁପର ଭାଇଜର ରହିବେ। ପ୍ରତି ଘର ପାଇଁ ଏକ ଫର୍ମ ତିଆରି କରାଯାଇଛି।

ଏହି ଟିମ ପ୍ରତି ଘର ବୁଲି ସେମାନଙ୍କ ନାମ, ଠିକଣା ଓ ଯଦି କାହାର ଲକ୍ଷଣ ଅଛି ତେବେ ଫର୍ମରେ ଉଲ୍ଲେଖ କରିବେ । ଯଦି ଏହି ଟିମ ଅନୁଭବ କରିବେ ଯେ କାହାର ଶରୀରରେ ଲକ୍ଷଣ ପ୍ରକାଶ ପାଇଛି ତେବେ ଜିଲ୍ଲା କଂଟ୍ରୋଲ ରୁମକୁ ଜଣାଇବେ । ଏହା ପରେ ତାଙ୍କର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବ । ବ୍ଲକ ସ୍ତରରେ ବିଡ଼ିଓ, ଉପଖଣ୍ଡ ସ୍ତରରେ ଉପଜିଲ୍ଲାପାଳ ଏସବୁ ପ୍ରତି ନଜର ରଖିବେ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଏପରି ନିଷ୍ପତି ନିଆଯାଇଛି । ଗଞ୍ଜାମ ଜିଲ୍ଳାକୁ ଏହାରି ଭିତରେ ବିଦେଶରୁ ଫେରିଛନ୍ତି ୭୩୦ ଓଡ଼ିଆ  ଏବଂ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଦାଦନ ଫେରିଛନ୍ତି । ଏହା ସହିତ ଜିଲ୍ଲା ବାହାରୁ ମଧ୍ୟ ବହୁ ସଂଖ୍ୟାରେ ଲୋକ ଫେରିଛନ୍ତି, ଯାହାକୁ ନେଇ ଚିନ୍ତାରେ ଅଛି ପ୍ରଶାସନ । ତେଣୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଜିଲ୍ଳା ପ୍ରଶାସନ ନିଷ୍ପତି ନେଇଛି ।