ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସଟଡାଉନ୍ ଘୋଷଣା କରାଯାଇଛି। ଜୁଲାଇ ୯ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଏନ୍ଏସି ଓ ୫ଟି ବ୍ଲକ୍ ହେଡ କ୍ୱାର୍ଟରରେ ସଟ୍ଡାଉନ୍ ଘୋଷଣା କରାଯାଇଛି। ଏଥିସହିତ ବ୍ରହ୍ମପୁର ମହାନଗର ସମେତ ସମସ୍ତ ସହରାଞ୍ଚଳ ହିଞ୍ଜିଳିକାଟୁ ମ୍ୟୁନିସିପାଲଟି ଓ ସମସ୍ତ ଏନ୍ଏସି ଅଞ୍ଚଳ ମଧ୍ୟ ସଟ ଡାଉନ୍ ରହିବ । ତେବେ, ଏହି ସମୟରେ ଜିଲ୍ଲାରେ ସମସ୍ତ ଜରୁରୀକାଳିନ ସେବା ଚାଲୁ ରହିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା ମଙ୍ଗଳବାର ସୂଚନା ଦେଇଛନ୍ତି।
ଏହି ସଟଡାଉନ୍ ସମୟ ଭିତରେ ଘରକୁ ଘର ବୁଲି ଲୋକମାନଙ୍କ ସ୍କ୍ରିନିଂ ପରୀକ୍ଷା କରାଯିବ। ସର୍ଭେ ସମୟରେ ସବୁ ଲୋକ ଘରେ ରହିବା ନିହାତି ଆବଶ୍ୟକ। ଏଥିପାଇଁ ୨ଶହ ଟିମ୍ ଗଠନ କରାଯାଇଛି। ସର୍ଭେରେ ବ୍ରହ୍ମପୁର ପାଇଁ ୧୦୦ ଓ ଅନ୍ୟ ଅଞ୍ଚଳ ପାଇଁ ୧୦୦ଜଣ ରହିବେ। ଏହି ସବୁ ଟିମ୍ ପାଇଁ ଜଣେଜଣେ ଡାକ୍ତର ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପୁଥିବା ବେଳେ ଏହାକୁ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।