ଅଣ୍ଡରୱାଲ୍ଡ ଡନ୍‌ ଛୋଟା ଶକିଲଙ୍କ ବଡ଼ ଭଉଣୀଙ୍କ କରୋନାରେ ମୃତ୍ୟୁ

ମୁମ୍ବାଇ: ଅଣ୍ଡରୱାଲ୍ଡ ଡନ୍‌ ଛୋଟା ଶକିଲଙ୍କ ବଡ଼ ଭଉଣୀ ହମିଦାଙ୍କ ମଙ୍ଗଳାବାର କରୋନାଜନିତ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ବର୍ଷ ହୋଇଥିଲା। ସୂଚନାଯୋଗ୍ୟ, ହମିଦା ମହାରାଷ୍ଟ୍ରର ଠାଣେରେ ରହୁଥିବା ବେଳେ ଗତ କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବ୍ରାର ବିଲାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେହିପରି ଗୋଟିଏ ମାସ ମଧ୍ୟରେ ଛୋଟା ଶକିଲଙ୍କୁ ଦୁଇଥର ବଡ଼ ଝଟ୍‌କା ଲାଗିଛି। ମଙ୍ଗଳବାର ଛୋଟା ଶକିଲଙ୍କ ବଡ଼ ଭଉଣୀ ହମିଦାଙ୍କ ପରଲୋକ ଘଟିଥିବା ବେଳେ ମେ ମାସରେ ସାନ ଭଉଣୀ ଫହମିଦାଙ୍କ ମୃତ୍ୟୁ ହୋଇଥିଲା। ତେବେ ତାଙ୍କର ନିଧନ ମଧ୍ୟ ମୁମ୍ବାଇରେ ହୋଇଥିବା ଜଣାପଡ଼ିଛି। ଫହମିଦାଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ୫୦ବର୍ଷ ହୋଇଥିଲା। ସୂଚନାଯୋଗ୍ୟ, ଛୋଟା ଶକିଲ ହେଉଛନ୍ତି ଦାଉଦ ଇବ୍ରାହିମର ଡାହାଣ ହାତ। ସେ ନିଜ ପରିବାର ସହ ପାକିସ୍ତାନର କରାଚିରେ ରହୁଥିବା ସୂଚନା ରହିଛି।