ଅଟୋରେ ଫେରିବାବେଳେ ଭୁଲ ବାଟରେ ନେଇ ଦୁଇ ଭଉଣୀଙ୍କୁ ସାଙ୍ଗ ସହ ମିଶି ଦୁଷ୍କର୍ମ କଲା ଅଟୋ ଡ୍ରାଇଭର

ଅଗରତାଲା : ତ୍ରିପୁରା ଉନାକୋଟି ଜିଲ୍ଲାରେ ୧୩ବର୍ଷୀୟ ନାବାଳିକା ଏବଂ ତାର ବଡ ଭଉଣୀଙ୍କୁ ଅପହରଣ କରିବା ସହ ଗଣ ଦୁଷ୍କର୍ମ କରାଯାଇଛି । ଦୁଇ ଦିନ ଧରି ଉଭୟଙ୍କୁ ଏକ ଘରେ ରଖି ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଟୋ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ।

ସୂଚନା ଅନୁସାରେ, ଦୁଇ ଭଉଣୀ କୌଣସି କାମରେ କୈଳାଶହର ସହରକୁ ଯାଇଥିଲେ । ଯାହା ତାଙ୍କ ଘର ଅଗରତାଲାଠାରୁ ୧୪୦ କିଲୋମିଟର ଦୂର । କୈଳାଶହରରୁ ଘରକୁ ଫେରିବା ପାଇଁ ଏକ ବ୍ରିଜ୍ ନିକଟରେ ଗାଡିକୁ ଅପେକ୍ଷା କରିଥିଲେ । ଏହି ସମୟରେ ଏକ ଅଟୋ ସେହି ବାଟ ଦେଇ ଯାଉଥିଲା । ଅଟୋ ଡ୍ରାଇଭର ସେମାନଙ୍କୁ ନେଇ ତାଙ୍କ ଘରେ ଛାଡିଦେବା ପାଇଁ କହିଥିଲା । ସେମାନେ ଅଟୋରେ ବସି ଯାଇଥିଲେ । ହଠାତ୍ ଅଧା ବାଟରେ ଅଟୋ ଚାଳକ ତାର ଦୁଇ ଜଣ ବନ୍ଧୁକୁ ମଧ୍ୟ ଅଟୋରେ ବସାଇ ନେଇଥିଲେ । ମାତ୍ର ଦୁଇ ଉଭଣୀଙ୍କୁ ଘରେ ଛାଡିବା ପରିବର୍ତ୍ତେ ଅଟୋ ଚାଳକ ସହ ସେହି ଦୁଇ ଜଣ ସେମାନଙ୍କ ମୁହଁକୁ କପଡାରେ ବାନ୍ଧି ଖୋଓ୍ବଇ ଜିଲ୍ଲାର ତେଲିଆମୁରା ସହରକୁ ନେଇଯାଇଥିଲେ । ଏହାପରେ ଦୁଇ ଭଉଣୀଙ୍କୁ ଗୋଟିଏ ଘରେ ବନ୍ଦୀ କରି ରଖିଥିଲେ । ତିନି ଜଣ ମିଶି ଉଭୟଙ୍କୁ ଦୁଇ ଦିନ ପର‌୍ୟ୍ୟନ୍ତ ବାରମ୍ବାର ଦୁଷ୍କର୍ମ କରିଥିଲେ ।
ଘରଲୋକ ଉଭୟଙ୍କୁ ଖୋଜାଖୋଜି କରି ନପାଇବା ପରେ ଥାନାରେ ଅଭିଯୋଗ କରିଥିଲେ । ପୀଡିତାଙ୍କ ମାଆଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ଖୋଜା ଖୋଜି କରି ଉଭୟଙ୍କୁ ଉଦ୍ଧାର କରିବା ସହ ଅଟୋ ଡ୍ରାଇଭରକୁ ଗିରଫ କରିଛି । ମାମଲାର ତଦନ୍ତ ଜାରି ରଖିଛି ପୋଲିସ । ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଛାନଭିନ ଚଳାଇଥିବା ଏଏସପି ବିପ୍ଳବ ଦେବ କହିଛନ୍ତି ।