ଆଜିପବିତ୍ର ଗଣେଶ ଚତୁର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଦ୍ୟାଦାତା ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଶିକ୍ଷାନୁଷ୍ଠାନ, ଯୁବକ ସଂଗଠନ, ବଜାର, ବ୍ୟବସାୟୀ ସଂଗଠନ ଉତ୍ସବ ମୁଖର ହୋଇଉଠିଛି । ଭାଦ୍ରବ ମାସ ଶୁକ୍ଳପକ୍ଷ  ଚତୁର୍ଥୀ ତିଥିରେ ସୋମବାର ସମଗ୍ର ଭାରତ ବର୍ଷରେ ବିଘ୍ନରାଜଙ୍କ ପୂଜା ପାଇଁ ଜୋରଦାର ଆୟୋଜନ ହୋଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସମେତ ମହାରାଷ୍ଟ୍ରରେ ଲକ୍ଷାଧିକ ଟଙ୍କାର ବଜେଟରେ ଗଣେଶ ପୂଜାର ଆୟୋଜନ ହୋଇଛି । ମୁମ୍ବାଇ ବ୍ୟତୀତ ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁ, ବିଶାଖାପାଟଣାରେ ମଧ୍ୟ ଆକର୍ଷଣୀୟ ଭାବେ ଗଣେଶ ପୂଜା ପାଳିତ ହେଉଛି ।

ପୂର୍ବ ବର୍ଷ ଭଳି ଏଥର ମଧ୍ୟ ମୁମ୍ବାଇରେ ପ୍ରତିଯୋଗିତା ମୂଳକ ଭାବେ ଗଣେଶ ପୂଜା ହେଉଛି । କେଉଁଠି ମୂର୍ତ୍ତି ନିର୍ମାଣକୁ ନେଇ ତ କେଉଁଠି ସାଜସଜ୍ଜା ପାଇଁ ପ୍ରତିଦ୍ୱନ୍ଦିତା ଦୃଷ୍ଟିଗୋଚର ହେଉଛି । ଭଗବାନ ଗଣେଶଙ୍କ ପ୍ରତି ମହାରାଷ୍ଟ୍ରର ଲୋକଙ୍କର ଦୃଢ଼ ବିଶ୍ୱାସ ରହିଛି । ତେଣୁ ସେମାନେ ଘରେ ଘରେ ଗଣେଶ ପୂଜାର ଆୟୋଜନ କରିଥାନ୍ତି । ମୁମ୍ବାଇରେ ଗଣେଶ ପୂଜା ଏକ ସପ୍ତାହରୁ ଅଧିକ ଦିନ ଯାଏଁ ଚାଲିବ । ଅନେକ ସ୍ଥାନରେ ଗଣେଶ ମହୋତ୍ସବର ଆୟୋଜନ ହେଉଛି । ଗଣେଶ ମହୋତ୍ସବ ଶେଷରେ ମୂର୍ତ୍ତିଗୁଡିକୁ ଏକ ସ୍ୱତନ୍ତ୍ର ଶୋଭାଯାତ୍ରାରେ ଭସାଣି ପାଇଁ ନିଆଯିବ । ଭସାଣି ଉତ୍ସବରେ ଡିଜେ, ମେଲୋଡି କାର୍ଯ୍ୟକ୍ରମର ପ୍ରସ୍ତୁତି ଦିଆଯିବ । 

ଓଡିଶାରେ ମଧ୍ୟ ଗଣେଶ ପୂଜା ଆକର୍ଷଣୀୟ ଭାବେ ପାଳନ ହେଉଛି । ଗଣେଶ ପୂଜା ପାଇଁ ସ୍କୁଲ-କଲେଜ ଛାତ୍ରଛାତ୍ରମାନେ ଉତ୍ସାହିତ ଅଛନ୍ତି । ପୂର୍ବାହ୍ଣ ୭ଟାରୁ ଅପରାହ୍ନ ଯାଏଁ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯିବ । ରାଜଧାନୀ ଭୁବନେଶ୍ୱର ସମେତ ଜଟଣୀ, ଖୋର୍ଦ୍ଧା, ତାଳଚେର, ଦେବଗଡ଼, ବାଲେଶ୍ୱର ଓ କଟକରେ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଆକର୍ଷଣୀୟ ଭାବେ ଗଣେଶ ପୂଜା ପାଇଁ ଆୟୋଜନ ହୋଇଛି । 

ଜଟଣୀ ସହରର ୧୩ଟି ସ୍ଥାନରେ ବ୍ୟୟ ବହୁଳ ପୂଜାର ଆୟୋଜନ ହୋଇଛି । ଏଠାରେ ପୂଜା ୧୩ ଦିନ ଯାଏଁ ପୂଜା ଚାଲିବ । ଶାନ୍ତିଶୃଙ୍ଖଳା ପାଇଁ ୧୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଗଣେଶ ପୂଜା ଅବସରରେ ସହରରେ ମୀନାବଜାର, ପଲ୍ଲିଶ୍ରୀ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଶେଷରେ ଭାଦ୍ରବ ପୂର୍ଣ୍ଣିମା ଅବସରରେ ସେପ୍ଟେମ୍ବର ୧୪ରେ ଭସାଣୀ ଉତ୍ସବର ଆୟୋଜନ ହେବ । ତାଳଚେର ଗଣେଶ ପୂଜାର ସ୍ୱତନ୍ତ୍ର ଆକର୍ଷଣ ହେଉଛି ଲଡୁ ନିଲାମି । କୋଇଲା ନଗରୀ ତାଳଚେରରେ ବହୁ ସ୍ଥାନରେ ଗଣେଶ ପୂଜାର ଆୟୋଜନ ହେଉଛି । ସେହିପରି କଟକ ଓ ବାଲେଶ୍ୱରରେ ଭଗବାନ ଗଣେଶଙ୍କ ଡିଜାଇନ ମୂର୍ତ୍ତି ନିର୍ମାଣ ହୋଇଛି ।