ଆଜି ବାପୁଜୀଙ୍କ ୧୫୦ତମ ଜୟନ୍ତୀ: ସାବରମତୀରେ ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଜାତିର ପିତା ମହତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଶ୍ରଦ୍ଧାଞ୍ଜଳି ଦେବାକୁ ସାବରମତୀ ଗସ୍ତ କରିବେ । ନିଜର ଗୃହ ରାଜ୍ୟରେ ମୋଦୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ଖୋଲା ସ୍ଥାନକୁ ଶୌଚ ମୁକ୍ତ ଘୋଷଣା କରିବେ । ଗୁଜୁରାଟର ସାବରମତୀ ବ୍ୟତୀତ ଅନ୍ୟସ୍ଥାନରେ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ରାଜ୍ୟ ବିଜେପି ଅଧ୍ୟକ୍ଷ ଜିତୁ ବଧାନୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ସନ୍ଧ୍ୟା ପାଖାପାଖି ୬ଟାରେ ଅହମଦାବାଦ ବିମାନବନ୍ଦରରେ ପହଂଚିବେ । 

ମୋଦୀ ବୁଧବାର ସନ୍ଧ୍ୟା ୫ଟା ପରେ ଅହମଦାବାଦ ବିମାନବନ୍ଦରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ବିଜେପି ନେତା ଓ ସରକାରଙ୍କ ମନ୍ତ୍ରିମଣ୍ଡଳ ତରଫରୁ ତାଙ୍କୁ ସ୍ୱାଗତ କରାଯିବ । ସନ୍ଧ୍ୟା ସାଢ଼େ ୫ଟାରେ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ମଂଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେଠାରେ ସେ ଜନସଭାକୁ ସମ୍ବୋଧିତ କରିବେ । ସେହିଭଳି ୬ଟା ୨୦ରେ ମୋଦୀ ସାବରମତୀ ଆଶ୍ରମରେ ପହଂଚି ବାପୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସେଠାରେ ସେ ପ୍ରାୟ ଅଧ ଘଣ୍ଟା ଅଟକିବେ । ଏହା ପରେ ସନ୍ଧ୍ୟା ୭ଟାରେ ରିଭରଫ୍ରଣ୍ଟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ଗୁଜୁରାଟର ପ୍ରାୟ ୧୦ ହଜାର ସରପଞ୍ଚ ଉପସ୍ଥିତ ରହିବେ । ରାତି ୮ଟା ୪୦ରେ ଜିଏମଡିସି ଗ୍ରାଉଣ୍ଡରେ ଗରବା ମହୋତ୍ସବରେ ଉପସ୍ଥିତ ରହିବେ ଓ ରାତି ୯ଟା ୧୦ ପର୍ଯ୍ୟନ୍ତ ସେଠାରେ ରହିବା ପରେ ରାତି ୯ଟା ୧୫ରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ । 

ସାବରମତୀ ରିଭରଫ୍ରଣ୍ଟରେ ଗାନ୍ଧୀ ଜୟନ୍ତୀ ସମାରୋହରେ ଭାଗ ନେବାକୁ ଥିବା ଗୁଜୁରାଟ ଲୋକଙ୍କୁ ଦାଣ୍ଡିସ୍ଥିତ ସ୍ମାରକ ବ୍ୟତୀତ ମହାତ୍ମା ଗାନ୍ଧୀଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନ ନିଆଯିବ । ନଭସାରୀ ଜିଲ୍ଲା ପ୍ରଶାସନ ଦାଣ୍ଡି ସମୁଦ୍ର ଉପକୂଳରେ ସଫାଇ ଅଭିଯାନ କାର୍ଯ୍ୟକ୍ରମ କରିଛି । ଦାଣ୍ଡିରେ ଗାନ୍ଧିଜୀ ଲବଣ ସତ୍ୟାଗ୍ରହ ଆନ୍ଦୋଳନ କରିଥିଲେ ।