ଲକ୍ ଡାଉନ୍ ପରେ ରଥଯାତ୍ରା ନିଷ୍ପତି ନିଆଯିବ

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ ନିଷ୍ପତି ଲକ୍ ଡାଉନ୍ ଶେଷ ହେବା ପରେ ଅର୍ଥାତ୍ ମେ’ ୩ ପରେ ନିଆଯିବ । ମହାପ୍ରଭୁଙ୍କ ରଥଯାତ୍ରା ଓ ସ୍ନାନଯାତ୍ରା ଜୁନ୍ ମାସରେ ପଡ଼ୁଛି ତେଣୁ ମେ ୩ ତାରିଖରେ ଲକଡାଉନ୍ ଅବଧି ସରିବା ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନୂତନ ଗାଇଡଲାଇନ୍ ଅନୁସାରେ ନିଷ୍ପତି ନିଆଯିବ। ମେ ୩ରେ  କିମ୍ବା ଏହା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସି ରଥଯାତ୍ରା ଓ ସ୍ନାନଯାତ୍ରା ସଂପର୍କରେ ଚୂଡ଼ାନ୍ତ ନିଷ୍ପତି ନିଆଯିବ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ଗଜପତି ମହାରାଜ କହିଛନ୍ତି, ପରିଚାଳନା କମିଟି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ନିବେଦନ କରିଛି ଯେ, ମେ’ ମାସ ୩ ତାରିଖରେ ଯେଉଁ ନିଷ୍ପତି ଆସିବ, ଏଥିରେ ଦେବନୀତି ଉପରେ ଯେପରି କୌଣସି ପ୍ରଭାବ ନ ପଡ଼ିବ ଏଥି ପ୍ରତି ଗୁରୁତ୍ୱ ଦିଆଯାଉ । ଅନ୍ୟପଟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ, ଜୀବନକୁ ବିପଦରେ ନପକାଇ କୋଭିଡ-୧୯ର କୌଣସି ନିୟମ ଉଲଂଘନ ନ କରି ରଥାଯାତ୍ରା କରିହେବ କି ନାହିଁ, ତାହା ସରକାର ବିବେଚନା କରିବେ । ମେ’ ୩ ତାରିଖ ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଯାହା ଗାଇଡଲାଇନ ଦେବେ ସେହି ହିସାବରେ ନୂତନ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।