ପାରଳାଖେମୁଣ୍ଡି: ତିତଲକୁ ଗୋଟିଏ ବର୍ଷ ପୁରିବାକୁ ଆଉ ଦୁଇମାସ ବାକି ଥିବା ବେଳେ ଆଜି ଅଚାନକ ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ତିତଲ ବାତ୍ୟା ପରବର୍ତୀ ପୁନରୁଦ୍ଧାର ଓ ଥଇଥାନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବିଭିନ୍ନ ବିଭାଗ ଦ୍ୱାରା ହୋଇଥିବା କାର୍ଯ୍ୟ ଆଦିର ଅନୁଧ୍ୟାନ ଓ ବ୍ୟୟବରାଦ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି । ପରେ ପାରଳାଖେମୁଣ୍ଡି ସର୍କିଟ ହାଉସଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ତିତଲ କ୍ଷତିଗ୍ରସ୍ତଙ୍କ ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ପ୍ରକାଶ କରିଛନ୍ତି ।
ଗଜପତି ଜିଲ୍ଲା ପ୍ରଶାସନକୁ ତିତଲି ବାତ୍ୟା ପ୍ରପୀଡିତଙ୍କ ଥଇଥାନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୨୨୯ କୋଟି ଟଙ୍କା ଦିଆଯାଇଥିଲା । ଗଜପତି ପ୍ରଶାସନ ୨୨୧ କୋଟି ଟଙ୍କା ବ୍ୟୟ କରି ପ୍ରପୀଡିତଙ୍କ ପାଇଁ ବେଶ ସହାୟକ ସିଦ୍ଧ ହୋଇ ପାରିଛନ୍ତି ବୋଲି ଶ୍ରୀ ସେଠୀ କହିଛନ୍ତି । ଅଂଚଳର ୧୫ ଗୋଟି ଗ୍ରାମ ଯେଉଁଗୁଡିକ ବିଶେଷ କରି ପାହାଡ ଉପରେ ରହିଥିଲା, ସେଗୁଡିକ ତିତଲି ବାତ୍ୟାରେ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା । ସେହି ଗ୍ରାମର ଲୋକଙ୍କୁ ଗଜପତି ପ୍ରଶାସନ ତୁରନ୍ତ ଚିହ୍ନଟ କରି ସେମାନଙ୍କ ଥଇଥାନ ପାଇଁ ବହୁ କାର୍ଯ୍ୟକ୍ରମ ହାତ ନେଇଥିଲେ । ସେମାନଙ୍କ ପାଇଁ ପାହାଡ ତଳେ ପଂଚାୟତ କାର୍ଯ୍ୟାଳୟ ନିକଟରେ ନୂତନ ଘର ନିର୍ମାଣ ଚାଲିଛି । ସେଇ ଘରଗୁଡିକର ନିର୍ମାଣ ଶୈଳୀ ଉଚ୍ଚକୋଟୀର । ସେଠାରେ ଲୋକଙ୍କ ସୁବିଧା ସୁଯୋଗ ପାଇଁ ଆନୁଷାଙ୍ଗିକୁ ସମସ୍ତ ବ୍ୟବସ୍ଥା ରହିବା ସହିତ, ତାହାକୁ ଏକ ସୁନ୍ଦର କଲୋନୀ ରୂପେ ଗଢ଼ାଯିବ । ଯଦ୍ୱାରା ସଠିକ୍ ଭାବେ ଥଇଥାନ ହୋଇପାରିବେ ବୋଲି ଶ୍ରୀ ସେଠୀ କହିଥିଲେ ।
ଆଜିର ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଚଂଚଳ ରାଣା, ଏସପି ସାରା ଶର୍ମାଙ୍କ ସମେତ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକ ପରେ ତିତଲି ଦ୍ୱାରା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ରାୟଗଡ ବ୍ଲକର କଇଁପୁର ଅଂଚଳ ଗସ୍ତକରି କ୍ଷତିଗ୍ରସ୍ତ ପରିବାରଙ୍କ ସହ ଶ୍ରୀ ସେଠୀ ଆଲୋକଚନା କରିଥିଲେ । କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ପାହାଡ ଶିଖରରୁ ସ୍ଥାନାନ୍ତରିତ କରି ସମତଳ ଅଂଚଳରେ ଥଇଥାନ ପାଇଁ ଚାଲିଥିବା ୩ଟି ଭିନ୍ନ ଭିନ୍ନ କାର୍ଯ୍ୟସ୍ଥଳୀ ସମେତ ପାହାଡ ଅଂଚଳକୁ କିଛି ବାଟ ପାଦଚଲା ରାସ୍ତାରେ ଯାଇ ଶ୍ରୀ ସେଠୀ ପରିଦର୍ଶନ କରିଥିଲେ ।
ରାଇସିଂ, ସୁଆବା, ଲାଙ୍ଗା ସାହି, ମାଡବା, ମାଡା, କଳିଙ୍ଗ, ସିଣ୍ଡିଲିଙ୍ଗି, ବୁରୁଶୁଣ୍ଡା, ତେରବ ଓ କିଛି ପଡାର ୨ଶହରୁ ଊଦ୍ଧ୍ୱର୍ ପରିବାରଙ୍କୁ ଥଇଥାନ ସକାଶେ ଚାଲିଥିବା ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସହାୟତା ଓ ଥଇଥାନ ସ୍ଥଳରେ ଘର ନିର୍ମାଣ ପାଇଁ ବିଜୁ ପକ୍କା ଘର ଯୋଜନାରେ ଦିଆ ଯାଇଥିବା ଅର୍ଥ ସାହାଯ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା ଦେଖିଥିଲେ । ଅଂଚଳରେ ଆବଶ୍ୟକ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଗ୍ରାମବାସୀ ତାଙ୍କୁ ଅନୁରୋଧ କରିଥିଲେ । ସେହିଭଳି ରାସ୍ତା ଓ ପାନୀୟ ଜଳର ସୁବ୍ୟବସ୍ଥା କରିବା ପାଇଁ କହିଥିଲେ । ପାହାଡ ଧସି କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମିର ପୁନରୁଦ୍ଧାର ହୋଇପାରି ନ ଥିବା ଯୋଗୁଁ ସହାୟତା ପ୍ରଦାନ ନିମନ୍ତେ ବ୍ୟବସ୍ଥା କରିବା ସକାଶେ କିିଛି ଗ୍ରାମବାସୀ ନିବେଦନ କରିଥିଲେ । ଫଳରେ ତୁରନ୍ତ ସମସ୍ତ ନିର୍ମାଣ କାର୍ଯ୍ୟକୁ ସମାପନ କରିବା ସହ ସମୁଚିତ ବ୍ୟବସ୍ଥା ଉପଲବ୍ଧ କରାଇବା ସକାଶେ ଶ୍ରୀ ସେଠୀ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।