ଉକ୍ରଳର ନେତା ନିଜେ ନାରାୟଣ । ତେଣୁ ଜଗନ୍ନାଥଙ୍କୁ ମୁରବୀ ମନେ କରିଥାନ୍ତି ଗଜପତି ଏବଂ ସେବକପଣରେ କରନ୍ତି ରାଜ୍ୟ ଶାସନ । ପରିସ୍ଥିତି ଦୃଶ୍ୟପଟ୍ଟ ପରିବର୍ତ୍ତନ ହେଲେ ହେଁ ଗଜପତିଙ୍କର ସେଇ ଭାବନା ଆଜି ବି ରହିଛି । ମହାପ୍ରଭୁଙ୍କର ସେ ପ୍ରଥମ ସେବକ । ଆଉ ଖାସ୍ ଠାକୁରଙ୍କ ପାଇଁ ସେ ସବୁରି ହୃଦୟରେ ରାଜା, ଠାକୁର ରାଜା । ତକ୍ରାଳୀନ ରାଜା ଅନଙ୍ଗଭୀମ ଦେବଙ୍କ ଦ୍ୱାରା ଛତିଶା ନିଯୋଗ ସ୍ଥାପନ ହେବା ପରେ ଗଜପତିଙ୍କ ପାଇଁ କେତୋଟି ସେବା ନିର୍ଦ୍ଦିଷ୍ଟ ହୋଇଛି । ତନ୍ମଧ୍ୟରେ ସ୍ନାନ, ଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାରେ ଛେରାପହଁରା ସେବା କରିବା ଏକ ପରଂପରା । ଏହା ବ୍ୟତୀତ ଗଜପତିଙ୍କ ଅନୁପସ୍ଥିତିରେ କେତେକ ଯାନୀଯାତ୍ରାରେ ସେବା କରନ୍ତି ତାଙ୍କ ପ୍ରତିନିଧି ମୁଦିରସ୍ତ । ଗଜପତିଙ୍କ ଅନ୍ୟ ଏକ ବିଶେଷ ସେବା ହେଲା ଲକ୍ଷ୍ମୀନାରାୟଣ ଭେଟ । ଯାହାକି ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ସମୟରେ ହୋଇଥାଏ । ଏହି ଭେଟ ଗଜପତି ନିଜେ ଉପସ୍ଥିତ ରହି କରାଇଥାନ୍ତି ।